ଦାଶରଥି ଶତପଥୀ
ଓଡିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଇତିହାସରେ ସତ୍ୟବାଦୀର ସନ୍ଥ ସାଧକ, ବିଶ୍ୱଚେତନାର ଦୀପ୍ତିମନ୍ତ ଜ୍ୟୋତିଷ୍କ ଗୋପବନ୍ଧୁ ଦାଶଙ୍କ ଆବିର୍ଭାବ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଓଡିଆ ଭାଷା ସାହିତ୍ୟ ଓ ଜାତୀୟ ଜୀବନରେ ସତେ ଯେପରି ସେ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ସରଳ ଜୀବନଯାପନ ଓ ଉଚ୍ଚଚିନ୍ତା ଥିଲା ତାଙ୍କ ଜୀବନର ଆଦର୍ଶ । ଦେଶ, ଜାତି, ସମାଜ ତଥା ସମଷ୍ଟିର ସ୍ୱାର୍ଥ ସାଧନରେ ସେ ଥିଲେ ଉତ୍ସର୍ଗୀକୃତ । ଜଣେ ଆଦର୍ଶ ଆଚାରନିଷ୍ଠ ଶିକ୍ଷକ ତଥା ଜାତି ଗଠକ ଭାବରେ ସେ ଯେପରି ପରିଚିତ, ଜଣେ ସମାଜ ସେବକ, ସଂସ୍କାରକ ଭାବରେ ତାଙ୍କର ମହାନତା, ଜାତୀୟତା, ସ୍ୱଦେଶ ପ୍ରେମ ସେତିକି ଉଚ୍ଚକୋଟିର । ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ମରୁଡିରେ ଆର୍ତଜନଙ୍କ ସେବାକରିବା ତାଙ୍କ ଚରିତ୍ରର ବିଶେଷତ୍ୱ । ଭାରତୀୟ ଇତିହାସରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅର୍ଥାତ୍ ସିପାହୀ ବିଦ୍ରୋହର ୨୦ ବର୍ଷପରେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସାକ୍ଷୀଗୋପାଳ ନିକଟସ୍ଥ ଭାର୍ଗବୀ ନଦୀ ଉପକୂଳବର୍ତ୍ତି ସୁଆଣ୍ଡୋ ଗ୍ରାମରେ ଏକ ସମ୍ଭ୍ରାନ୍ତକୁଳୀନ ବ୍ରାହ୍ମଣ ପରିବାରରେ ଉକ୍ରଳର ମଉଡମଣି ଗୋପବନ୍ଧୁଙ୍କର ଜନ୍ମ ହୋଇଥିଲା । ଜନ୍ମର ଅଳ୍ପ ଦିନ ମଧ୍ୟରେ ମାତା ସ୍ୱର୍ଣ୍ଣମୟୀଙ୍କର ଅକାଳ ବିୟୋଗ ଘଟିଥିଲା । ଫଳରେ ସେ ମାତୃସମା ଦେଠେଇଙ୍କ ଦ୍ୱାରା ଲାଳିତ ପାଳିତ ହୋଇଥିଲେ । ଗୋପବନ୍ଧୁଙ୍କ ଜୀବନର ଏହି ଅପୂର୍ଣ୍ଣତା ବୋଧହୁଏ ତାଙ୍କ ହୃଦୟ କନ୍ଦରରେ ସ୍ନେହ, ପ୍ରେମ, ମମତା କରୁଣାର ମନ୍ଦାକିନୀ ଧାରା ଉଜ୍ଜୀବିତ କରିଥିଲେ । ଗାଁର ନିର୍ଜନ ପ୍ରକୃତିରୁ ପାଇଥିବା ମା’ର ଅମୃତ ସ୍ପର୍ଶ ଓ ଲୋକ ଜୀବନ- ଚରିତ୍ରରୁ ପାଇଥିବା ମାନବିକତାର ମଧୁର ଗନ୍ଧ ତାଙ୍କ ଶିଶୁ ସୁଲଭ ପ୍ରକୃତି ଭିତରେ ସୃଷ୍ଟି କରିଥିଲା ସୃଜନଶୀଳତା, ଦାର୍ଶନିକତା, ସୌନ୍ଦର୍ଯ୍ୟବୋଧତା ।ଗ୍ରାମ ବିଦ୍ୟାଳୟ ଥିଲା ଗୋପବନ୍ଧୁଙ୍କ ବାଲ୍ୟ ଜୀବନର ଶିକ୍ଷାସ୍ଥଳ । ଗ୍ରାମ ଚାଟଶାଳୀରୁ ପ୍ରାଥମିକ ଶିକ୍ଷା ଶେଷ କଲାପରେ ସେ ରୂପଦେଇପୁର ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ସେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ନିଜର ନିଷ୍ଠା, ଅଧ୍ୟବସାୟ= ଯୋଗୁଁ ସେ ଜଣେ ଉତ୍ତମ ଛାତ୍ର ରୂପେ ବିବେଚିତ ହେଲେ । ଛାତ୍ର ଅବସ୍ଥାରୁ ସେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସେବାମୂଳକ ଗଠନାତ୍ମକ କାର୍ଯ୍ୟରେ ସର୍ବଦାଲିପ୍ତ ରହୁଥିଲେ । ଛାତ୍ରବନ୍ଧୁମାନଙ୍କୁ ନେଇ ସେ ‘ପୁରୀ ସେବା ସମିତି’ ନାମରେ ଏକ ସ୍ୱଚ୍ଛାସେବୀ ଦଳ ଗଢି ରଥଯାତ୍ରାରେ ଯାତ୍ରୀମାନଙ୍କ ସୁବିଧା ଅସୁବିଧା, ହଇଜାରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କର ଶବସକ୍ରାର ଏବଂ ରୋଗୀମାନଙ୍କର ସେବା ଶୁଶ୍ରୁଷା କରୁଥିଲେ । ଗୋପବନ୍ଧୁ ଭାରୀ ସ୍ପଷ୍ଟବାଦୀ ଓ ନିର୍ଭିକ ଥିଲେ । ୧୮୯୯ ମସିହାରେ ଗୋପବନ୍ଧୁ ଏଣ୍ଟ୍ରାସ୍ ପାସ କରି ରେଭେନ୍ସା କଲେଜରେ ନାମ ଲେଖାଇବା ପୂର୍ବରୁ ତାଙ୍କ ପିତାଙ୍କ ବିୟୋଗ ଘଟିଥିଲା । ତେଣୁ ଗୋପବନ୍ଧୁ ତାଙ୍କର ବଡଭାଇ ନାରାୟଣ ଦାସଙ୍କୁ ପରିବାରର ଦାୟିତ୍ୱ ଦେଇ ଅଧ୍ୟୟନ କଲେ । ଥରେ ‘ଭାଗବତ ସପ୍ତା’ ପାଳନ ଅବସରରେ ଗୋପବନ୍ଧୁ ନିଜଗ୍ରାମ ସୁଆଣ୍ଡୋକୁ ଆସିଥାନ୍ତି, ସାଥିରେ ହରିହର ଦାସ, ନୀଳକଣ୍ଠ ଦାସ ଓ ଅନନ୍ତ ମିଶ୍ର ମଧ୍ୟ ଆସିଥାନ୍ତି । ଅନ୍ନପ୍ରସାଦ ସେବନ ପରେ ସମସ୍ତେ ଗପସପରେ ମାତିଛନ୍ତି । ଏହି ଗପସପରୁ ଭାର୍ଗବୀ ନଦୀକୂଳରେ ସେମାନେ ଶପଥ ନେଇଛନ୍ତି ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ବିଦେଶୀ ସରକାରଙ୍କ ଅଧୀନରେ ଚାକିରୀ ନକରି ଦେଶ ସେବାରେ ଜୀବନକୁ ଉତ୍ସର୍ଗ କରିବେ । ସେହି ‘ଭାର୍ଗବୀ ଶପଥ’ର ଫଳ, ସମସ୍ତଙ୍କୁ କର୍ମଯୋଗୀରେ ରୂପାନ୍ତରିତ କରିଥିଲା । ଏହି ସମୟରେ ଓଡିଆ ଜାତି ଏକ ସଙ୍କଟଦେଇ ଗତି କରୁଥିଲା । କେତେକ ବଙ୍ଗଭାଷୀ ବ୍ୟକ୍ତି ଓଡିଆ ଭାଷାକୁ ଲୋପ କରିଦେବା ପାଇଁ ଚକ୍ରାନ୍ତ କରିଥିଲେ । ଏହାର ପ୍ରତିବାଦ ସ୍ୱରୂପ ଗୋପବନ୍ଧୁ ବ୍ରଜସୁନ୍ଦର ଦାସଙ୍କ ସହାୟତାରେ ଓଡିଆ ଛାତ୍ରଙ୍କ ସ୍ୱାର୍ଥରକ୍ଷା ପାଇଁ ‘କର୍ତ୍ତବ୍ୟବୋଧିନୀ ସମିତି’ ଗଠନ କରି ଓଡ଼ିଆଙ୍କ ମନରେ ଓଡିଆ ଭାଷା, ସାହିତ୍ୟ ପ୍ରତି ମମତ୍ୱବୋଧକୁ ଜାଗ୍ରତ କରିଥିଲେ । ତାଙ୍କର ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଫଳରେ କଲିକତା ବିଶ୍ୱବିଦ୍ୟାଳୟରେ ଓଡିଆ ଭାଷା ସ୍ଥାନ ପାଇପାରିଥିଲା । ୧୯୦୪ ମସିହାରେ ଗୋପବନ୍ଧୁ ବି.ଏ. ପାସ୍ କରିବା ସହ ୧୯୦୫ ମସିହାରେ ବଙ୍ଗଭଙ୍ଗ ଆନ୍ଦୋଳନରେ ମଧୁସୂଦନ ଦାସଙ୍କ ସହ ନିଜର ସୁଚିନ୍ତିତ ମତ ପ୍ରଦାନ କରି ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । କ୍ରମେ ଦେଶପ୍ରେମୀ ଆଦର୍ଶବାଦୀ ଯୁବକମାନେ ଏହି ସ୍ୱଦେଶୀ ଆନ୍ଦୋଳନରେ ଯୋଗ ଦେବାକୁ ଲାଗିଲେ । ଓଡିଶାରେ ଗୋପବନ୍ଧୁଙ୍କ ନିର୍ମଳ ଚରିତ୍ର ଓ କର୍ମ ପ୍ରବଣତା ଦେଖି ବହୁ ଓଡିଆ ଛାତ୍ର ତାଙ୍କୁ ନିଜର ନେତା ରୂପେ ମାନିନେଲେ । ୧୯୦୬ରେ ଗୋପବନ୍ଧୁ ବି.ଏଲ୍ ପାସ କଲେ ମଧ୍ୟ ପତ୍ନୀଙ୍କ ବିୟୋଗ ତାଙ୍କୁ ଦୋହଲାଇ ଦେଇଥିଲା । ମାତାପିତା ପୁତ୍ର ଓ ପତ୍ନୀ ସମସ୍ତଙ୍କୁ ହରାଇଥିଲେ ମଧ୍ୟ ସେ ସେବା ପଥରୁ ବିଚ୍ୟୁତ ହୋଇନଥିଲେ । ଦେଶର ସ୍ୱାଧୀନତା ପାଇଁ ଗୋଟିଏ ଯୁବ ବାହିନୀର ଆବଶ୍ୟକତା ଅନୁଭବ କରିଥିଲେ । ଓକିଲାତି ପାସ୍ କରିବାପରେ ଗୋପବନ୍ଧୁ କଟକରେ ମଧୁସୂଦନ ଦାସଙ୍କ ଅଧୀନରେ, ତା’ପରେ ପୁରୀରେ ସ୍ୱାଧୀନ ଭାବେ ଓକିଲାତି କଲେ । ଏହାପରେ ସେ ମୟୂରଭଞ୍ଜର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ଅନୁରୋଧ କ୍ରମେ ମୟୂରଭଞ୍ଜରେ ସରକାରୀ ଓକିଲ ଭାବେ କାର୍ଯ୍ୟ ନିର୍ବାହ କଲେ । ସେଠାରେ ସେ ଅନେକ ରାଜନୈତିକ ସଂସ୍କାର ମଧ୍ୟ ଆଣିଥିଲେ । ମହାରାଜାଙ୍କ ମୃତ୍ୟୁ ପରେ ସେ ମୟୂରଭଞ୍ଜ ଛାଡି କଟକ ଚାଲିଆସିଲେ । ସତ୍ୟ-ନ୍ୟାୟନିଷ୍ଠ ଗୋପବନ୍ଧୁ ଓକିଲାତି କରି ଆତ୍ମସନ୍ତୋଷ ଲାଭ କରିପାରିନଥିଲେ । ଖ୍ରୀ: ୧୯୦୬ରେ ଓଡିଶାର ସାଧାରଣ ଶିକ୍ଷିତ ଯୁବକମାନଙ୍କୁ ନେଇ ‘ୟଙ୍ଗ ଉକ୍ରଳ ଆସୋସିଏସନ୍ ବା ଉକ୍ରଳ ଯୁବକ ସମିତି’ ଗଠନ କଲେ । ବିଶ୍ୱ ବିଦ୍ୟାଳୟର ଛାତ୍ରମାନେ ଏହି ସଂଘର ସକ୍ରୀୟ କର୍ମୀ ଭାବେ ଯୋଗ ଦେଲେ ଓ ଦେଶରେ ବହୁ ଲୋକହିତକର କାର୍ଯ୍ୟ କଲେ । କିନ୍ତୁ ଶିକ୍ଷା ବିଭାଗର ଶୁଭ ଦୃଷ୍ଟି ଏହି ସମିତି ଉପରେ ନଥିବାରୁ ଏହାର କାର୍ଯ୍ୟ ପରିସର ସଙ୍କୁଚିତ ହୋଇ ଏହା ‘ଛାତ୍ର ସମ୍ମିଳନୀ ରୂପ ନେଲା । ‘ଉକ୍ରଳ ସମ୍ମିଳନୀ’ ସହିତ ଏହି ସଂଘଟି ସଂଲଗ୍ନ ଥିଲା । ତେଣୁ ବନ୍ୟା,ଦୁର୍ଭିକ୍ଷ, ମହାମାରୀ ପ୍ରଭୁତି ବିପତିରେ ଲୋକମାନଙ୍କର ସେବା କରିବାରେ ଏହା ବଦ୍ଧ ପରିକର ଥିଲା । ପରବର୍ତ୍ତୀ ସମୟରେ ଏହା ‘କେନ୍ଦ୍ର ଯୁବ ଉକ୍ରଳ ସଂଘ’ ରୁପେ ଦେଖାଦେଲା । ଓଡିଶାର ବିଭିନ୍ନ ସ୍କୁଲ୍ କଲେଜରେ ଏହାର ଶାଖାମାନ ସ୍ଥାପିତ ହେଲା । ବନ୍ୟା ଦୁର୍ଗତ ଅଞ୍ଚଳରେ ଲୋକସେବା କରିବାଠାରୁ ସାହିତ୍ୟ ଚର୍ଚ୍ଚା , ଯଥା କୁ ସଂସ୍କାର ବିରୁଦ୍ଧରେ ସଂଗ୍ରାମ,ବାଲ୍ୟବିବାହ,ଯøତୁକ ପ୍ରଥାକୁ ପ୍ରତିହତ କରିବା , ବିଧବା ବିବାହକୁ ଆଇନ ସମ୍ମତ କରିବା , ସମାଜରେ ସ୍ୱାକ୍ଷରିତ ପ୍ରଚାର କରିବା ଥିଲା ଏହି ସଂଗଠନର ମୂଳ ଲକ୍ଷ୍ୟ । ମଧୁସୂଦନ ଦାସଙ୍କ ଉତ୍ସାହ ଓ ଗୋପବନ୍ଧୁଙ୍କ ନେତୃତ୍ୱ ଏହି ସଂଘକୁ ଉପଯୁକ୍ତ ପଥ ଦେଖାଇଥିଲା । ପରବର୍ତ୍ତୀ ସମୟରେ ଏହି ଯୁବକମାନେ ହିଁ ଦେଶର ପ୍ରଧାନ ସେବକ ଭାବେ ପରିଚିତ ହେଲେ । ପ୍ରାଚୀନ ଯୁଗରେ ଉକ୍ରଳ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ସମ୍ମାନଜନକ ସ୍ଥାନ ଅଧିକାର କରିଥିଲେ ହେଁ ଇଂରେଜ ରାଜତ୍ୱ କାଳରେ ମ୍ୟାକ୍ଲେଙ୍କ ପ୍ରବର୍ତ୍ତିତ ଶିକ୍ଷାନୀତିର ଅସାରତାକୁ ଗୋପବନ୍ଧୁ ହୃଦୟଙ୍ଗମ କରିଥିଲେ । ଦେଶ ଓ ଜାତିର ଜାଗରଣ ମୂଳରେ ଶିକ୍ଷାର ଉପାଦେୟତା ଯେ ଅଧିକ ଓ ଗୋଟିଏ ପରାଧୀନ ଦେଶର ଉନ୍ନତି ପାଇଁ ନିରକ୍ଷରତା ଦୁରୀକରଣ ଯେ ଜରୁରୀ; ଏହା ସେ ବୁଝିପାରିଥିଲେ । ତେଣୁ ସେ ଅତୀତ ପରମ୍ପରା, ଆଭିମୁଖ୍ୟ ଓ ଆଦର୍ଶ ଅନୁଶୀଳନ ପୂର୍ବକ ଜାତୀୟ ଶିକ୍ଷା ସଂସ୍କୃ୍ତିର ଉତ୍ଥାନ ପାଇଁ ବୈଦିକ ଯୁଗର ଗୁରୁକୁଳାଶ୍ରମ ସ୍ୱରୁପ ବନ ବିଦ୍ୟାଳୟର ପରିକଳ୍ପନା କରିଥିଲେ । ଗୋପବନ୍ଧୁଙ୍କ ଏକାନ୍ତ ଅନୁଗତ ପଣ୍ଡିତ ନୀଳକଣ୍ଠ, ଗୋଦାବରୀଶ ମିଶ୍ର ଓ ହରିହରଙ୍କ ନୈତିକ ସମର୍ଥନ ଓ ଅନେକ ଶୁଭେଚ୍ଛୁଙ୍କ ଆଶୀର୍ବାଦ , ସହଯୋଗରେ ମହାରାଷ୍ଟ୍ରର ଫର୍ଗୁସନ ମହାବିଦ୍ୟାଳୟ ଢାଞ୍ଚାରେ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପିତ ହେଲା । ଭକ୍ତକବି ମଧୁସୂଦନ ରାଓଙ୍କ ପରାମର୍ଶ କ୍ରମେ ସାକ୍ଷୀଗୋପାଳର ଛୁାରିଆନା କୁଞ୍ଜ ବିଦ୍ୟାଳୟ ପାଇଁ ଉକ୍ରୃଷ୍ଟ ସ୍ଥାନ ରୁପେ ନିରୁପିତ ହେଲା । ଏକ ସୁଚିନ୍ତିତ ଶିକ୍ଷା ଯୋଜନା ମାଧ୍ୟମରେ ବାସ୍ତବ ଜୀବନ ଉପଯୋଗୀ , ମାନବିକ ମୂଲ୍ୟବୋଧ ଭିତ୍ତିକ ପ୍ରକୃତିଗତ ଶିକ୍ଷା ଉପରେ ଗୁରୁତ୍ୱ ଦିଆଗଲା । ବିଦ୍ୟାଳୟ ପାଇଁ ବ୍ୟୟବହୁଳ କୋଠାବାଡି ପରିବର୍ତ୍ତେ ମୁକ୍ତ ଆକାଶ ତଳେ ବକୁଳବନର ରମଣୀୟ ପରିବେଶରେ ଛାତ୍ରମାନଙ୍କ ପଢିବାର ବ୍ୟବସ୍ଥା କରାଗଲା । କ୍ରମେ ଏଠାରେ ଛପର ଘର ତୋଳାଯାଇ ପାଠପଢା ବ୍ୟବସ୍ଥା ମଧ୍ୟ କରାଗଲା । ଲର୍ଡ କର୍ଜନ ସତ୍ୟବାଦୀ ବିଦ୍ୟାଳୟର ଗୁରୁକୁଳ ଶିକ୍ଷାର ପ୍ରଶଂସା କରି କହିଥିଲେ, ‘ବସ୍ତୁତଃଗୁରୁ ଯେଉଁଠାରେ ଶିଷ୍ୟକୁ ସୁଖ ଦୁଃଖ, ହର୍ଷ, ଆମୋଦ ମଧ୍ୟରେ ପରୀକ୍ଷା କରି ପାରନ୍ତି, ତାହାର ସମସ୍ତ ଚିତବୃତିକୁ ନିୟନ୍ତ୍ରିତ କରନ୍ତି ଏବଂ ତା’ର ଭବିଷ୍ୟତ ଜୀବନକୁ ନିଜ ଆଙ୍ଗୁଠିରେ ଗଠନ କରନ୍ତି’, ସେହିଠାରେ ହିଁ ପ୍ରକୃତ ବିଦ୍ୟାଳୟ, ସେହିଠାରେ ହିଁ ବାଳକ ତା’ର ଉପଯୁକ୍ତ ଶିକ୍ଷା ପାଏ ।” ଅଳ୍ପଦିନ ମଧ୍ୟରେ ଭାରତର ବହୁ ବିଜ୍ଞ ବ୍ୟକ୍ତି, ଶାସକ, ରାଜନୈତିକ ବ୍ୟକ୍ତି ଏହି ବିଦ୍ୟାଳୟର ପରମ୍ପରା, ଆଦର୍ଶ ଓ ଶିକ୍ଷାନୀତି ପ୍ରତି ଆକୃଷ୍ଟ ହେଲେ । ଫଳରେ, ଓଡିଶାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଛାତ୍ର ଏଠାରେ ଯୋଗଦେଲେ । ଦେଶର ସେବା ପାଇଁ ବାସ୍ତବରେ ଏହିଠାରେ ହିଁ ଗୋପବନ୍ଧୁଙ୍କର ପରିକଳ୍ପନା ବାସ୍ତବ ରୂପ ନେଇଥିଲା । ଏହିପରି ଭାବେ ନୂତନ ଉତ୍ସାହ ଓ ପ୍ରଗତିଶୀଳ ସାମାଜିକ ଆଭିମୁଖ୍ୟ ସହିତ ସତ୍ୟବାଦୀର ବନବିଦ୍ୟାଳୟ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲା । ମାତ୍ର ରକ୍ଷଣଶୀଳ ବ୍ରାହ୍ମଣ ସମାଜ ହରିଜନମାନଙ୍କୁ ଏକ ସଙ୍ଗରେ ଅଧ୍ୟୟନର ସୁଯୋଗ ଦେବାକୁ ପସନ୍ଦ କରୁନଥିଲେ । ତେଣୁ, କେତେକ ନଷ୍ଟସ୍ୱାର୍ଥ ବ୍ୟକ୍ତି ଚକ୍ରାନ୍ତ କରି ସତ୍ୟବାଦୀ ବିଦ୍ୟାଳୟରେ ନିଆଁ ଲଗାଇଦେଲେ । ଅଗ୍ନି କାଣ୍ଡରେ ସବୁ ଧ୍ୱଂସ ହୋଇଯିବା ପରେ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ନୂତନ ସ୍କୁଲ ନିର୍ମାଣ ହେଲା । ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟ ଗାନ୍ଧିଜୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଓଡିଶାର ପ୍ରଥମ ଜାତୀୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉପରୁ ଆସ୍ତେ ଆସ୍ତେ ପ୍ରତ୍ୟାହୃତ ହେଲା । ଗୋପବନ୍ଧୁ ଓ ବିଦ୍ୟାଳୟର ଅନ୍ୟ ଶିକ୍ଷକମାନଙ୍କ ଅସହଯୋଗ ଆନ୍ଦୋଳନ ଓ ମହାତ୍ମା ଗାନ୍ଧୀଙ୍କ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମରେ ଯୋଗଦାନ ହେତୁ ଆର୍ôଥକ ଦୁଃସ୍ଥିତି ଓ ପ୍ରତିକୂଳ ପରିସ୍ଥିତି ଭିତରେ ସତ୍ୟବାଦୀ ବିଦ୍ୟାଳୟର ବିପର୍ଯ୍ୟୟ ଘଟିଲା । ୧୯୨୧ ମସିହାରେ ସତ୍ୟବାଦୀ ବିଦ୍ୟାଳୟ ଜାତୀୟ ବିଦ୍ୟାଳୟରେ ପରିଣତ ହେବା ପରେ ଏହାର ପୂର୍ବ ମୌଳିକତା ଆସ୍ତେ ଆସ୍ତେ ନଷ୍ଟ ହେଲା । ଗୋପବନ୍ଧୁଙ୍କର ନୂତନ ଶିକ୍ଷାନୀତି ବିଶେଷ କାର୍ଯ୍ୟକାରୀ ହୋଇପାରିନଥିବାରୁ ବନ ବିଦ୍ୟାଳୟର ସଂସ୍କାରିତ ରୂପ ଅନ୍ଧକାର ଭିତରେ ବିଲୀନ ହେଲା । ଏହି ବିଦ୍ୟାଳୟ ବନ୍ଦ ହୋଇଯିବାର ଦୁଇ ବର୍ଷ ପରେ ୧୯୨୮ ମସିହା ଜୁନ ୧୭ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।ସତ୍ୟବାଦୀର ସୁରଭିତ ପୁଷ୍ପ ଅକାଳରେ ମଉଲିଗଲା । ଉକ୍ରଳ ଜନନୀ ତା’ର ବରପୁତ୍ରକୁ ହରାଇଲା । ଓଡିଶାର ଅଖଣ୍ଡ ଜ୍ୟୋତି ନିର୍ବାପିତ ହୋଇ ମଧ୍ୟ ଅମ୍ଳାନ ଜ୍ୟୋତି ବିକିରଣ କରିଗଲା । ଗୋପବନ୍ଧୁଙ୍କ ଭାଷାରେ “ମାନବ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ କର୍ମେ ଜିଏ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ ।” ଭା.ପ୍ର.ସେ., ଜିଲ୍ଲାପାଳ