Friday, May 25, 2018

"ଭଜନ ସମ୍ରାଟ' ଭିକାରୀ ବଳ


ନାଟ୍ୟ ସାରଥି ଅଭୟ କୁମାର ଦାଶ
ଭଜନ ସମ୍ରାଟ ଭିକାରୀ ବଳ ଜଣେ ଓଡ଼ିଆ ସଂଗୀତଜ୍ଞ ଓ ଗାୟକ । ସେ ଓଡ଼ିଶାର ଅନେକ ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ ଓ ପୁରାତନ ରଚନାକୁ ଗୀତ ରୂପାନ୍ତର କରି ଗୀତ ବୋଲିଛନ୍ତି । ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣୀ ବଳଙ୍କ ସନ୍ତାନ ଭିକାରୀ ବଳ ୧୯୨୯ ମସିହା ମଇ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ନେଇଥିଲେ । ଖୁବ୍ ଛୋଟବେଳୁ ତାଙ୍କ ବାପା ମାଆ ମୃତ୍ୟୁବରଣ କରିଥିଲେ । ତାଙ୍କ ବାପାଙ୍କ ପ୍ରଥମ ପକ୍ଷ ବିବାହର ପୁଅ ଓ ତାଙ୍କ ପତ୍ନୀ ଭିକାରୀଙ୍କ ଲାଳନ ପାଳନ କରିଥିଲେ । ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ପରେ ସେ ନିଜ ଗାଁ ସୋବଳାରେ ଯାତ୍ରା ଦଳରେ ଯୋଗ ଦେଇଥିଲେ । ସେଠାରେ ସେ ଗୀତ ଓ ଅଭିନୟ ଶିଖିଥିଲେ । ଗୁରୁ ଖିତିଜ୍ ମିତ୍ରଙ୍କ ସହାୟତାରେ ସେ କଟକ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଶିକ୍ଷା ଲାଭ କରିଥିଲେ । ଆକାଶବାଣୀରେ ସେ ଜଣେ ଏ କ୍ଲାସ ଗାୟକ ଭାବରେ ଗୀତ ଗାଉଥିଲେ ମଧ୍ୟ "କୋଠ ଭୋଗ ଖିଆ' ଗୀତରୁ ଲୋକପ୍ରିୟ ହୋଇଥିଲେ । ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳି ଓ ସାଲବେଗ ଆଦି ପୁରାତନ କବିଙ୍କ ବହୁ ଭଜନରେ ସେ କଣ୍ଠଦାନ କରିଛନ୍ତି । ଏହା ବ୍ୟତୀତ ଅନେକ ଚମ୍ପୁ, ଛାନ୍ଦ ଓ ଲୋକଗୀତ ଗାଇବା ସହ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ "ଭଜନ ସମ୍ରାଟ' ଉପାଧିରେ ଭୂଷିତ କରିଥିଲେ । ୨୦୧୦ ମସିହା ନଭେମ୍ବର ୩ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । ଗୋତରା, ମାହାଙ୍ଗା, କଟକ, ଦୂରଭାଷ : ୯୪୩୭୧୪୨୭୧୭ ନ

No comments:

Post a Comment