Monday, October 1, 2018
ଗୋପବନ୍ଧୁ ଓଡ଼ିଶାର ମଣି
ଗୋପବନ୍ଧୁ ଓଡ଼ିଶାର ମଣି, ଉକ୍ରଳମଣି ଜଣେ ସମାଜସେବୀ, ସମାଜ ସଂସ୍କାରକ, ସକ୍ରିୟ ରାଜନୀତିଜ୍ଞ, ସାମ୍ବାଦିକ, କବି, ପ୍ରାବନ୍ଧିକ, ବିଶିଷ୍ଟ ଶିକ୍ଷାବିତ୍ ଓ ଓକିଲ ଭାବରେ ବେଶ୍ ଜଣାଶୁଣା ଥିଲେ । ସେ ୯ ଅକ୍ଟୋବର ୧୮୭୭ ମସିହାରେ ପବିତ୍ର ଦଶହରା ଦିବସରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଶ୍ରୀ ଦୈତାରୀ ଦାସ ଓ ମାତାଙ୍କ ନାମ ହେଉଛି ସ୍ୱର୍ଣ୍ଣମୟୀ ଦେବୀ । ସେ ପୁରୀ ଜିଲ୍ଲାର ସୁଆଣ୍ଡୋ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶୈଶବରୁ ସେ ଥିଲେ ମାତୃହରା । ପ୍ରଥମେ ତାଙ୍କର ବାଲ୍ୟଶିକ୍ଷା ଗାଁ ଚାଟଶାଳୀରେ ହୋଇଥିଲା । ୧୮୯୩ ମସିହାରେ ସେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଇଠି ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ରଙ୍କ ସହିତ ସାକ୍ଷାତ୍ ହେଲା । ସେ ପାଲଟିଗଲେ ଗୋପବନ୍ଧୁଙ୍କର ଦିଗ୍ଦର୍ଶକ ଏବଂ ଦେଶସେବୀର ପଥପ୍ରଦର୍ଶକ । ଗୋପବନ୍ଧୁ ପୁରୀରେ ପଢ଼ୁଥିଲା ବେଳେ ପୁରୀରେ ଏକ ଭୟଙ୍କର ହଇଜା ହୋଇଥିଲା ଯେଉଁଥିରେ ପାଖାପାଖି ୭୫ ହଜାର ଲୋକ ମରିଥିଲେ । ଗୋପବନ୍ଧୁ ପୁରୀରେ ଏକ ସେବା ସମିତି ଗଠନ କରି ଏହି ହଇଜା ଆକ୍ରାନ୍ତ ରୋଗୀଙ୍କର ସେବା କରିବା ସହିତ ରାତିଦିନ ଲାଗି ସେମାନଙ୍କର ଶବ ସକ୍ରାର କରୁଥିଲେ । ତାଙ୍କର ଏହି ହଇଜା ସେବାରୁ ପୁରୀ ଗଢ଼ିଉଠିଲା କଲେରା ଡାକ୍ତରଖାନା ବା କଲେରା ହସ୍ପିଟାଲ ନାମରେ ଯାହାକି ଏବେ ପରିଚିତ । ଛାତ୍ରାବସ୍ଥାରୁ ସେ ଥିଲେ ଜଣେ ବିପ୍ଲବୀ । ତେଣୁ ସେ କୌଣସି ପ୍ରକାର ଅନ୍ୟାୟକୁ ବରଦାସ୍ତ କରିପାରୁନଥିଲେ । ଏମିତିକି ତତ୍କାଳୀନ ଶିକ୍ଷାଅଧିକାରୀ ଶ୍ରୀ ରାଧାନାଥ ରାୟଙ୍କୁ ମଧ୍ୟ ଆକ୍ରମଣ ନକରି ଛାଡ଼ି ଦେଇନଥିଲେ । ଅବଶ୍ୟ ପରବର୍ତୀ ସମୟରେ ସେ ପାଲଟିଗଲେ ରାଧାନାଥ ରାୟଙ୍କର ଜଣେ ବିଶିଷ୍ଟ ବନ୍ଧୁ ।ମାତ୍ର ୧୨ ବର୍ଷରେ ସେ ଅପର୍ତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ତାଙ୍କ ପଢ଼ାରେ ପ୍ରତିବନ୍ଧକ ନଥିଲା । ପୁରୀରୁ ମାଟ୍ରିକ୍ ପାସ୍ ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ନାମ ଲେଖାଇଲେ । ଠିକ୍ ଏତିକିବେଳେ ତାଙ୍କର ପିତୃବିୟୋଗ ହେଲା । ତଥାପି ଧୈର୍ଯ୍ୟ ନହରାଇ ସେ ପଢ଼ା ଚାଲୁ ରଖିଲେ । ଏହି ସମୟରେ ବଙ୍ଗୀୟମାନେ ଓଡ଼ିଆ ଭାଷାର ବିଲୋପ ପାଇଁ ଚକ୍ରାନ୍ତ ଆରମ୍ଭ କରିଥାଆନ୍ତି । କ୍ରାନ୍ତି ଲାଲ ଭଟ୍ଟାଚାର୍ଯ୍ୟଙ୍କ ଭାଷାରେ ‘ଓଡ଼ିଆ ଏକଟା ଭାଷା ନୟେ, ଗୋପବନ୍ଧୁ ଏହା ବିରୋଧରେ ଆନ୍ଦୋଳନ କଲେ । ସେ ‘କର୍ତବ୍ୟବୋଧିନୀ’ ସମିତି ଗଠନ କରି ତା ମାଧ୍ୟମରେ ଏହାର ତୀବ୍ର ପ୍ରତିବାଦ କଲେ । ତାଙ୍କର ଆହ୍ୱାନ ଥିଲା ‘ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତା ଭାଷା । ଭାଷା ହିଁ ଜାତିର ପ୍ରାଣସ୍ପନ୍ଦନ’ । ଏନେଇ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ରମ୍ଭାଠାରେ ଉକ୍ରଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ୧୯୦୩ ମସିହାରେ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉକ୍ରଳ ସମ୍ମିଳନୀରେ ସେ କଟକରେ ଯୋଗଦେଇଥିଲେ । ଏତିକି ବେଳେ ତାଙ୍କ ପ୍ରଥମ ପୁତ୍ରସନ୍ତାନଙ୍କ ମୃତ୍ୟୁ ଘଟିଲା । ତଥାପି ସେ ପଢ଼ା ଓ ଦେଶସେବାରେ ଆଗୁସାର ଥିଲେ । ୧୯୦୪ରେ ରେଭେନ୍ସା କଲେଜରୁ ବି.ଏ ପାସ୍ କଲେ । ସେତେବେଳେ ସେ ଥିଲେ ଓଡ଼ିଶାର ୧୭ ନମ୍ବର ଗ୍ରାଜୁଏଟ୍ । ତାପରେ କଲିକତାରେ ବି.ଏଲ୍ ପଢ଼ିଲେ । ସେଠାରେ ପ୍ରବାସୀ ଓଡ଼ିଆଙ୍କର ଦୁଃଖ ଦୁର୍ଦ୍ଦଶା ଦେଖି ଭାଙ୍ଗିପଡ଼ିଲେ ଏବଂ ଏହି ଶ୍ରମିକମାନଙ୍କୁ ନେଇ ଏକ ‘ଶ୍ରମିକ ସଂଘ’ ଓ ସେମାନଙ୍କର ଶିକ୍ଷାର ଉନ୍ନତିକଳ୍ପେ ଏକ ‘ସାଂଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ । ଇତିମଧ୍ୟରେ ତାଙ୍କ ୨ୟ ପୁତ୍ରର ମଧ୍ୟ ମୃତ୍ୟୁ ହେଲା ଆଉ ଯେଉଁଦିନ ବି.ଏଲ୍ ପାସ୍ ଖବର ଶୁଣିଲେ ସେଇଦିନ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ମୃତ୍ୟୁ ହେଲା । ସତରେ ଦଇବର ଏ କି ଦଣ୍ଡ । ତଥାପି ଗୋପବନ୍ଧୁ ନିର୍ବିକାର ପୁରୁଷ ପରି ଆଗେଇ ଚାଲିଲେ । ଧନ୍ୟ ତୁମେ ଗୋପବନ୍ଧୁ ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ଗଠନରେ ମଧ୍ୟ ତାଙ୍କ ଭୂମିକା କମ୍ ନୁହେଁ । ମଧୁସୂଦନ ଓ ଅନ୍ୟମାନଙ୍କ ସହ ସେ ମଧ୍ୟ ଥିଲା ଅଗୁସାର । ୧୯୧୮ ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ସେବା ଥିଲା ତାଙ୍କର କର୍ମ ଏବଂ ଧର୍ମ । ବନ୍ୟା, ମରୁଡ଼ି ଓ ଯେ କୌଣସି ଦଇବ ଦୁର୍ଘଟଣା ବେଳେ ସେ ଥିଲେ ଆପତ୍କାଳୀନ ସାଥୀ । ଚୂଡ଼ା, ଚାଉଳ, ସାହାଯ୍ୟ ସହଯୋଗ ଓ ଲୋକବଳ ଧରି ସେ ଥିଲେ ତାଙ୍କ ପାଖରେ ହାଜର । ଆଖିରେ ଥିଲା ସେମାନଙ୍କ ପାଇଁ; କାନ୍ଦ ଆଉ କାନ୍ଦ । ଖାଲି କାନ୍ଦ । ସେ ସେମାନଙ୍କର ଦୁଃଖ ନେଇ ସରକାରଙ୍କର ପାଖରେ ଉପସ୍ଥାପନ କରୁଥିଲେ । ଦୁଃଖ ହାରୁଥିଲେ । ସେବା ପାଖରେ ତାଙ୍କ ପରିବାର ବି କିଛି ନୁହେଁ । ଥରେ ସେମିତି ବନ୍ୟାକାଳୀନ ସେବା ବେଳେ ସେ ବାର୍ତା ପାଇଲେ ଯେ ତାଙ୍କ ପୁତ୍ର ଶଯ୍ୟାଶାୟୀ । ତାଙ୍କୁ ଯିବାକୁ ହେବ । ସେ ଗଲେ ନାହିଁ ଏବଂ ଓଲଟ କହିଲେ : ମୋ ପୁଅ ପାଇଁ ଜଗନ୍ନାଥ ଅଛନ୍ତି । ଅଛନ୍ତି ଅନ୍ୟମାନେ । ସେମାନେ ବୁଝିବେ ।... । ଯାହା ଘଟିବା କଥା ଘଟିବ । ଏଠି ଶହ ଶହ ସନ୍ତାନ ବି ଦୁର୍ଦ୍ଦଶାରେ ଅଛନ୍ତି ଦେଖିପାରୁଛ ? ମୁଁ ଏମାନଙ୍କୁ ଛାଡ଼ି କେମିତି ଯିବି ? ପୁଅ ଚାଲିଗଲା । ସେ ଗଲେ ନାହିଁ । କେମିତି ବାପା ଇଏ ? ଆଉ ଥରେ ବନବିଦ୍ୟାଳୟ ଥିବା ବେଳେ ସେ ଘର ଭିତରେ ଶୋଇଥାନ୍ତି । ତାଙ୍କ ପାଖରେ ଶୋଇଥାନ୍ତି ତାଙ୍କର ବିଶ୍ୱସ୍ତ ସେବକ ରାମଚନ୍ଦ୍ର ବାରିକ । ବାହାର ବାରଣ୍ଡାରେ ଶୋଇଥାନ୍ତି ଆଚାର୍ଯ୍ୟ ହରହର । ପ୍ରବଳ ବର୍ଷା ତାଙ୍କ ନିଦ ଭାଙ୍ଗିଗଲା । ସେ ଉଠିକି ଭୋ ଭୋ କାନ୍ଦିଲେ । ଏ କାନ୍ଦଣାରେ ରାମଚନ୍ଦ୍ର ବାରିକ ଓ ଆଚାର୍ଯ୍ୟ ହରିହରଙ୍କର ନିଦ ଭାଙ୍ଗିଗଲା । ସେମାନେ ପଚାରିଲେ : ଏ କ’ଣ ? ଆପଣ କାନ୍ଦୁଛନ୍ତି କାହିଁକି ? ସେ କହିଲେ : ଦେଖିପାରୁନ ମୁର୍ଖ । ଇଏ କିମିତି ବର୍ଷୁଛି । ମାସେ ତଳେ ମୁଁ ଦେଖି ଆସିଥିବା ଭଙ୍ଗା କାନ୍ଥ ଓ ଚାଳ ଉଡିଯାଇଥିବା କୁଡ଼ିଆରେ ମୋ ପିଲାଏ ବଂଚିଥିବେ କେମିତି ? ଏ ହେଉଛନ୍ତି ଦୀନବନ୍ଧୁ, ‘ଦୀନବନ୍ଧୁ ଗୋପବନ୍ଧୁ’ । ତାଙ୍କର ବିଶ୍ୱାସ ଥିଲା ଯେ ସମାଜର ଉନ୍ନତି ପାଇଁ ଶିକ୍ଷା ହିଁ ଏକମାତ୍ର ଆଧାର । ଶିକ୍ଷା ମାଧ୍ୟମରେ ସମାଜର ପରିବର୍ତନ ସମ୍ଭବ । ଏଣୁ ସମାଜର ପ୍ରଗତି ଓ ଉନ୍ନତିକଳ୍ପେ ତଥା ମୁକ୍ତାଆର୍ ରାମଚନ୍ଦ୍ର ଦାଶଙ୍କ ପରାମର୍ଶ ଓ ମଧୁସୂଦନ ଦାସଙ୍କ ନିଷ୍ପତି କ୍ରମେ ୧୯୦୯ରେ ସେ ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା ବନରେ ଗଢ଼ିଲେ ସତ୍ୟବାଦୀ ବନବିଦ୍ୟାଳୟ । ଏହା ରବୀନ୍ଦ୍ରନାଥଙ୍କ ଶାନ୍ତିନିକେତନର ଢ଼ାଂଚାରେ ଗଢ଼ାଗଲା ଏବଂ ଏହାର ଉଦ୍ଦେଶ୍ୟ ଥିଲା ଯେ ଏଠାକାର ଶିକ୍ଷାଦ୍ୱାରା ଯେପରି ଜଣେ ଛାତ୍ରର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଉନ୍ନତି ହେଉ । ଏକ ପ୍ରାକୃତିକ ପରିବେଶ ମଧ୍ୟରେ ଏହା ଥିଲା ଏକ ଆବାସୀ ବିଦ୍ୟାଳୟ ଯେଉଁଠି ଗୁରୁଶିଷ୍ୟଙ୍କ ସଂପର୍କ ଥିଲା ପୂର୍ଣ୍ଣ, ପବିତ୍ର ଓ ମଧୁମୟ । ଏଇଠୁ ସୃଷ୍ଟି ହେଉଥିଲେ ଅନେକ ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ । ଜଣେ ଓକିଲ ହିସାବରେ ସେ ବିଫଳ କାରଣ ଗରିବ ଲୋକଙ୍କୁ ଶୋଷଣ କରିବା ତାଙ୍କର ମନୋବୃତି ନଥିଲା । ଓଲଟି ସେ ସେମାନଙ୍କର ସମସ୍ୟାକୁ କଚେରୀ ଦୁଆର ମୁହଁରୁ ମାଗଣା ମାଗଣାରେ ଆଶୁ ଆପୋଷ ସମାଧାନ କରି ଛାଡ଼ି ଦେଉଥିଲେ । କାହାକୁ ସର୍ବସ୍ୱାନ୍ତ ହେବାକୁ ସେ ଦେଉନଥିଲେ । ଗୋପବନ୍ଧୁ ମଧୁସୂଦନ ଦାସଙ୍କ ପାଖରେ ଓକିଲାତି କରୁଥିଲେ । ସେ ତାଙ୍କର ପରାମର୍ଶକ୍ରମେ ମୟୂରଭଂଜର ରାଜା ଶ୍ରୀରାମଚନ୍ଦ୍ର ଭଂଜଙ୍କର ସହକାରୀ ଓକିଲ ଭାବରେ ଯୋଗଦେଇ ବେଶ୍ ଶ୍ରଦ୍ଧାଭାଜନ ଓ ନାଁ କମାଇଥିଲେ । ତାଙ୍କର ସାଧୁତା ଓ ମଣିଷ ପଣିଆ ରାଜାଙ୍କୁ ବେଶ୍ ପ୍ରୀତ କରିଥିଲା । ରାଜାଙ୍କ ମୃତ୍ୟୁ ପରେ ସେ ମୟୂରଭଂଜ ଛାଡ଼ିଥିଲେ । ପ୍ରଥମରୁ ଗୋପବନ୍ଧୁ ରାଜନୀତିର ଧାର ଧରୁନଥିଲେ । ଅଥତ ମଧୁବାବୁଙ୍କ ପ୍ରରୋଚନାରେ ସେ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ଓଡ଼ିଶା-ବିହାର ବିଧାନସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ସେ ମଧ୍ୟ ୧୯୨୦ରେ କଲିକତାରେ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ ଯେଉଁଠି ଗାନ୍ଧୀଙ୍କ ଆଦର୍ଶ ପ୍ରତି ସେ ଆକର୍ଷିତ ହୋଇଥିଲେ । ତାଙ୍କରି ନିମନ୍ତ୍ରଣରେ ଗାନ୍ଧିଜୀ ପ୍ରଥମ କାଠଯୋଡ଼ି ଠାରେ ଅସହଯୋଗ ଭାଷଣ ଓ ଆନ୍ଦୋଳନର ମୂଳଦୂଆ ଓଡ଼ିଶାରେ ପକାଇଥିଲେ । ଗୋପବନ୍ଧୁ ଥିଲେ ଓଡ଼ିଶା କଂଗ୍ରେସ ପ୍ରଦେଶ କମିଟିର ପ୍ରଥମ ଅଧ୍ୟକ୍ଷ । ସେ ତାଙ୍କ ପ୍ରଚେଷ୍ଟାରେ ଓ କଂଗ୍ରେସକର୍ମୀଙ୍କ ସହାୟତାରେ କଟକରେ ସ୍ୱରାଜ ସେବକ ସଂଘ ଓ ଆଶ୍ରମ ଗଠନ କରିଥିଲେ । ଯେଉଁଥିପାଇଁ ସେ ବ୍ରିଟିଶ ସରକାରଙ୍କର ଚକ୍ଷୁଶୀଳ ହେଲେ । ସେଥିପାଇଁ ସେ ୧୯୨୨ ମେ ୩୧ରେ ଗିରଫ ହୋଇ ୨ ବର୍ଷ ପାଇଁ ଜେଲ୍ ଭୋଗିଲେ ଏବଂ ୧୯୨୪ ମସିହା ଜୁନ୍ ୨୬ ଜାନୁୟାରୀରେ ହଜାରିବାଗ୍ ଜେଲରୁ ମୁକ୍ତ ହୋଇଥିଲେ । ତାଙ୍କୁ ଟ୍ରେନ୍ ଯୋଗେ କଟକ ଆସିବା ବେଳେ ଓ କଟକରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା କରାଯାଇଥିଲା । ଓଡ଼ିଶା ଲୋକଙ୍କ ଦୁର୍ଦ୍ଦଶା ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମାଗାନ୍ଧିଙ୍କ ବାର୍ତା ଓ ଜାତୀୟ ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବା ପ୍ରୟାସରେ ସେ ୧୯୧୪ରେ ସତ୍ୟବାଦୀରୁ ଏକ ମାସିକ ପତ୍ରିକା ‘ସତ୍ୟବାଦୀ’ ଏବଂ ୪ ଅକ୍ଟୋବର ୧୯୧୯ ମସିହା ଦଶହରା ତିଥିରେ ଆରମ୍ଭ କରିଥିଲେ ସାପ୍ତାହିକ ସମାଜ । ପରେ ଏହି ସମାଜ ୧୯୨୪ରୁ ପୁରୀରୁ ଓ ୧୯୨୭ ମସିହାରୁ କଟକରୁ ପ୍ରକାଶିତ ହେଲା । ୧୯୩୦ରୁ ସାପ୍ତାହିକ ସମାଜ ଦୈନିକରେ ପରିଣତ ହେଲା । ଏ ସମାଜରେ ଇଂରେଜ ସରକାରଙ୍କର ଦୁର୍ନୀତି ଓ ଶୋଷଣ ବିରୁଦ୍ଧରେ ସେ ତାଙ୍କର ଶାଣିତ ଲେଖନୀ ଚାଳନା କାରଣରୁ ୧୯୨୨ରେ କାରାବରଣ ମଧ୍ୟ କରିଥିଲେ । ୧୯୨୪ ଜୁନ୍ ୨୭ରେ ସେ କାରାମୁକ୍ତ ହେଲେ ଏବଂ ଏହି ଅବସରରେ ତାଙ୍କୁ ଏକ ବିଶାଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଇଠି ଭାଷଣରେ ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର ରାୟ ତାଙ୍କୁ ଉକ୍ରଳମଣି ବୋଲି ସମ୍ବର୍ଦ୍ଧିତ କରିଥିଲେ ଏବଂ ଉପାଧିକୁ ସମବେତ ଜନତାର କରତାଳି ଧ୍ୱନିରେ ସ୍ୱୀକୃତି ପ୍ରଦାନ କରିଥିଲେ । ସେବେଠୁ ସେ ହେଲେ ‘ଉକ୍ରଳମଣି ଗୋପବନ୍ଧୁ’ । ଏହି କାରବାସ ବେଳେ ସେ ତାଙ୍କର ‘କାରାକବିତା ଓ ବନ୍ଦୀର ଆତ୍ମକଥା’ ରଚନା କରିଥିଲେ । ଗୋପବନ୍ଧୁଙ୍କର ତ୍ୟାଗ ଓ ଦରଦୀ ହୃଦୟରେ ପ୍ରୀତ ହୋଇ ଲାଲା ଲଜପତ ରାୟ ତାଙ୍କୁ ଲୋକସେବକ ମଣ୍ଡଳର ସଦସ୍ୟ ରୂପେ ଗ୍ରହଣ କରିଥିଲେ । ପରେ ଗୋପବନ୍ଧୁ ଥିଲେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ତାଙ୍କ ସାହିତ୍ୟରେ ଆମ ପାଇଁ ଛାଡ଼ି ଯାଇଥିବା କିଛି ଆପ୍ତ ବାକ୍ୟ :- ବିପଦ ପ୍ରଭୁଙ୍କ କଷଟି ପାଷାଣ ପରଖନ୍ତି ନାହିଁ ନର ହୃଦ ଟାଣ । ଉକ୍ରଳେ ନେତାର ନାହିଁ ପ୍ରୟୋଜନ ଉକ୍ରଳର ନେତା ନିଜେ ନାରାୟଣ । କାତରତା ସିନା କାପୁରୁଷ ପଣ ବୀର ମାରେ ଅବା ମରେ କରି ରଣ ସୁଖ ଦୁଃଖ ଚକ୍ର ଘୁରେ ନିରନ୍ତର ଏକ ପରେ ଆନ ଆସିବ ନିକର । ନିଜ ସ୍ୱାର୍ଥ ଲାଗି ଜାତି ନୁହେଁ ହିନ୍ଦୁ ବିଶ୍ୱ ହିତେ ତା’ର ପ୍ରତି ରକ୍ତବିନ୍ଦୁ । ଗୁଣ ଥିଲେ ରୂପରେ କି ଅଛି ପ୍ରୟୋଜନ ରୂପ ଅଟଇ କେବଳ ବାହ୍ୟ ଆବରଣ ପଛଘୁଂଚା ନାହିଁ ବୀରର ଜାତକେ ନମରେ ସେ କେବେ ପରାଣ ଆତଙ୍କେ । ଏହିପରି ଅନେକ ଆପ୍ତବାକ୍ୟ ତାଙ୍କ ସାହିତ୍ୟର ସୃଷ୍ଟିର ସମ୍ଭାର ମଧ୍ୟରେ ଅଛନ୍ତି । ୧୯୨୮ରେ ଲୋକସେବକ ମଣ୍ଡଳରେ ଯୋଗଦେବା ପାଇଁ ଲାହୋର ଗଲାବେଳେ ଗୋପବନ୍ଧୁ କଲିକତାଠାରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇପଡ଼ିଲେ ଏବଂ ସେଇଠୁ ସତ୍ୟବାଦୀ ଫେରି ଆସିଲେ । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଉଠିଲା । ସେ ମୃତ୍ୟୁକୁ ଏବେ ବହୁ ନିକଟରୁ ଦେଖିପାରୁôଥିଲେ । ଏଣୁ ମୃତ୍ୟୁପୂର୍ବରୁ ସେ ନିଜ ଇଚ୍ଛାପତ୍ରରେ ‘ସମାଜ’ ଓ ‘ସତ୍ୟବାଦୀ’ ପ୍ରେସର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ । ଏହି ଇଚ୍ଛାପତ୍ର ସଂପାଦନର ୨ ଘଂଟା ପରେ ଅର୍ଥାତ୍ ୨୬ ତାରିଖ ରବିବାର ସଂଧ୍ୟା ୭.୨୫ ମିନିଟ୍ରେ ସେ ଶେଷନିଶ୍ୱାସ ତ୍ୟାଗ କଲେ । ଏବେ ବନ୍ୟା, ମରୁଡ଼ି ବା ପ୍ରାକୃତିକ ଦୁର୍ବିପାକ କି ଦେଶସେବା ବା ରାଜନୀତି କଥା କହିଲେ ସେ ଦରଦୀ ଲୋକଟି ଖୋଜା ପଡ଼େ । ଗୋପବନ୍ଧୁ କାହିଁ ଗଲ... ?
Subscribe to:
Post Comments (Atom)
No comments:
Post a Comment