Monday, October 1, 2018

ସତ୍ୟବାଦୀର ସୁରଭିତ ପୁଷ୍ପ : ଉକ୍ରଳମଣି ଗୋପବନ୍ଧୁ


ଦାଶରଥି ଶତପଥୀ

ଓଡିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଇତିହାସରେ ସତ୍ୟବାଦୀର ସନ୍ଥ ସାଧକ, ବିଶ୍ୱଚେତନାର ଦୀପ୍ତିମନ୍ତ ଜ୍ୟୋତିଷ୍କ ଗୋପବନ୍ଧୁ ଦାଶଙ୍କ ଆବିର୍ଭାବ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଓଡିଆ ଭାଷା ସାହିତ୍ୟ ଓ ଜାତୀୟ ଜୀବନରେ ସତେ ଯେପରି ସେ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ସରଳ ଜୀବନଯାପନ ଓ ଉଚ୍ଚଚିନ୍ତା ଥିଲା ତାଙ୍କ ଜୀବନର ଆଦର୍ଶ । ଦେଶ, ଜାତି, ସମାଜ ତଥା ସମଷ୍ଟିର ସ୍ୱାର୍ଥ ସାଧନରେ ସେ ଥିଲେ ଉତ୍ସର୍ଗୀକୃତ । ଜଣେ ଆଦର୍ଶ ଆଚାରନିଷ୍ଠ ଶିକ୍ଷକ ତଥା ଜାତି ଗଠକ ଭାବରେ ସେ ଯେପରି ପରିଚିତ, ଜଣେ ସମାଜ ସେବକ, ସଂସ୍କାରକ ଭାବରେ ତାଙ୍କର ମହାନତା, ଜାତୀୟତା, ସ୍ୱଦେଶ ପ୍ରେମ ସେତିକି ଉଚ୍ଚକୋଟିର । ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ମରୁଡିରେ ଆର୍ତଜନଙ୍କ ସେବାକରିବା ତାଙ୍କ ଚରିତ୍ରର ବିଶେଷତ୍ୱ । ଭାରତୀୟ ଇତିହାସରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅର୍ଥାତ୍ ସିପାହୀ ବିଦ୍ରୋହର ୨୦ ବର୍ଷପରେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସାକ୍ଷୀଗୋପାଳ ନିକଟସ୍ଥ ଭାର୍ଗବୀ ନଦୀ ଉପକୂଳବର୍ତ୍ତି ସୁଆଣ୍ଡୋ ଗ୍ରାମରେ ଏକ ସମ୍ଭ୍ରାନ୍ତକୁଳୀନ ବ୍ରାହ୍ମଣ ପରିବାରରେ ଉକ୍ରଳର ମଉଡମଣି ଗୋପବନ୍ଧୁଙ୍କର ଜନ୍ମ ହୋଇଥିଲା । ଜନ୍ମର ଅଳ୍ପ ଦିନ ମଧ୍ୟରେ ମାତା ସ୍ୱର୍ଣ୍ଣମୟୀଙ୍କର ଅକାଳ ବିୟୋଗ ଘଟିଥିଲା । ଫଳରେ ସେ ମାତୃସମା ଦେଠେଇଙ୍କ ଦ୍ୱାରା ଲାଳିତ ପାଳିତ ହୋଇଥିଲେ । ଗୋପବନ୍ଧୁଙ୍କ ଜୀବନର ଏହି ଅପୂର୍ଣ୍ଣତା ବୋଧହୁଏ ତାଙ୍କ ହୃଦୟ କନ୍ଦରରେ ସ୍ନେହ, ପ୍ରେମ, ମମତା କରୁଣାର ମନ୍ଦାକିନୀ ଧାରା ଉଜ୍ଜୀବିତ କରିଥିଲେ । ଗାଁର ନିର୍ଜନ ପ୍ରକୃତିରୁ ପାଇଥିବା ମା’ର ଅମୃତ ସ୍ପର୍ଶ ଓ ଲୋକ ଜୀବନ- ଚରିତ୍ରରୁ ପାଇଥିବା ମାନବିକତାର ମଧୁର ଗନ୍ଧ ତାଙ୍କ ଶିଶୁ ସୁଲଭ ପ୍ରକୃତି ଭିତରେ ସୃଷ୍ଟି କରିଥିଲା ସୃଜନଶୀଳତା, ଦାର୍ଶନିକତା, ସୌନ୍ଦର୍ଯ୍ୟବୋଧତା ।ଗ୍ରାମ ବିଦ୍ୟାଳୟ ଥିଲା ଗୋପବନ୍ଧୁଙ୍କ ବାଲ୍ୟ ଜୀବନର ଶିକ୍ଷାସ୍ଥଳ । ଗ୍ରାମ ଚାଟଶାଳୀରୁ ପ୍ରାଥମିକ ଶିକ୍ଷା ଶେଷ କଲାପରେ ସେ ରୂପଦେଇପୁର ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ସେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ନିଜର ନିଷ୍ଠା, ଅଧ୍ୟବସାୟ= ଯୋଗୁଁ ସେ ଜଣେ ଉତ୍ତମ ଛାତ୍ର ରୂପେ ବିବେଚିତ ହେଲେ । ଛାତ୍ର ଅବସ୍ଥାରୁ ସେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସେବାମୂଳକ ଗଠନାତ୍ମକ କାର୍ଯ୍ୟରେ ସର୍ବଦାଲିପ୍ତ ରହୁଥିଲେ । ଛାତ୍ରବନ୍ଧୁମାନଙ୍କୁ ନେଇ ସେ ‘ପୁରୀ ସେବା ସମିତି’ ନାମରେ ଏକ ସ୍ୱଚ୍ଛାସେବୀ ଦଳ ଗଢି ରଥଯାତ୍ରାରେ ଯାତ୍ରୀମାନଙ୍କ ସୁବିଧା ଅସୁବିଧା, ହଇଜାରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କର ଶବସକ୍ରାର ଏବଂ ରୋଗୀମାନଙ୍କର ସେବା ଶୁଶ୍ରୁଷା କରୁଥିଲେ । ଗୋପବନ୍ଧୁ ଭାରୀ ସ୍ପଷ୍ଟବାଦୀ ଓ ନିର୍ଭିକ ଥିଲେ । ୧୮୯୯ ମସିହାରେ ଗୋପବନ୍ଧୁ ଏଣ୍ଟ୍ରାସ୍ ପାସ କରି ରେଭେନ୍ସା କଲେଜରେ ନାମ ଲେଖାଇବା ପୂର୍ବରୁ ତାଙ୍କ ପିତାଙ୍କ ବିୟୋଗ ଘଟିଥିଲା । ତେଣୁ ଗୋପବନ୍ଧୁ ତାଙ୍କର ବଡଭାଇ ନାରାୟଣ ଦାସଙ୍କୁ ପରିବାରର ଦାୟିତ୍ୱ ଦେଇ ଅଧ୍ୟୟନ କଲେ । ଥରେ ‘ଭାଗବତ ସପ୍ତା’ ପାଳନ ଅବସରରେ ଗୋପବନ୍ଧୁ ନିଜଗ୍ରାମ ସୁଆଣ୍ଡୋକୁ ଆସିଥାନ୍ତି, ସାଥିରେ ହରିହର ଦାସ, ନୀଳକଣ୍ଠ ଦାସ ଓ ଅନନ୍ତ ମିଶ୍ର ମଧ୍ୟ ଆସିଥାନ୍ତି । ଅନ୍ନପ୍ରସାଦ ସେବନ ପରେ ସମସ୍ତେ ଗପସପରେ ମାତିଛନ୍ତି । ଏହି ଗପସପରୁ ଭାର୍ଗବୀ ନଦୀକୂଳରେ ସେମାନେ ଶପଥ ନେଇଛନ୍ତି ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ବିଦେଶୀ ସରକାରଙ୍କ ଅଧୀନରେ ଚାକିରୀ ନକରି ଦେଶ ସେବାରେ ଜୀବନକୁ ଉତ୍ସର୍ଗ କରିବେ । ସେହି ‘ଭାର୍ଗବୀ ଶପଥ’ର ଫଳ, ସମସ୍ତଙ୍କୁ କର୍ମଯୋଗୀରେ ରୂପାନ୍ତରିତ କରିଥିଲା । ଏହି ସମୟରେ ଓଡିଆ ଜାତି ଏକ ସଙ୍କଟଦେଇ ଗତି କରୁଥିଲା । କେତେକ ବଙ୍ଗଭାଷୀ ବ୍ୟକ୍ତି ଓଡିଆ ଭାଷାକୁ ଲୋପ କରିଦେବା ପାଇଁ ଚକ୍ରାନ୍ତ କରିଥିଲେ । ଏହାର ପ୍ରତିବାଦ ସ୍ୱରୂପ ଗୋପବନ୍ଧୁ ବ୍ରଜସୁନ୍ଦର ଦାସଙ୍କ ସହାୟତାରେ ଓଡିଆ ଛାତ୍ରଙ୍କ ସ୍ୱାର୍ଥରକ୍ଷା ପାଇଁ ‘କର୍ତ୍ତବ୍ୟବୋଧିନୀ ସମିତି’ ଗଠନ କରି ଓଡ଼ିଆଙ୍କ ମନରେ ଓଡିଆ ଭାଷା, ସାହିତ୍ୟ ପ୍ରତି ମମତ୍ୱବୋଧକୁ ଜାଗ୍ରତ କରିଥିଲେ । ତାଙ୍କର ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଫଳରେ କଲିକତା ବିଶ୍ୱବିଦ୍ୟାଳୟରେ ଓଡିଆ ଭାଷା ସ୍ଥାନ ପାଇପାରିଥିଲା । ୧୯୦୪ ମସିହାରେ ଗୋପବନ୍ଧୁ ବି.ଏ. ପାସ୍ କରିବା ସହ ୧୯୦୫ ମସିହାରେ ବଙ୍ଗଭଙ୍ଗ ଆନ୍ଦୋଳନରେ ମଧୁସୂଦନ ଦାସଙ୍କ ସହ ନିଜର ସୁଚିନ୍ତିତ ମତ ପ୍ରଦାନ କରି ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । କ୍ରମେ ଦେଶପ୍ରେମୀ ଆଦର୍ଶବାଦୀ ଯୁବକମାନେ ଏହି ସ୍ୱଦେଶୀ ଆନ୍ଦୋଳନରେ ଯୋଗ ଦେବାକୁ ଲାଗିଲେ । ଓଡିଶାରେ ଗୋପବନ୍ଧୁଙ୍କ ନିର୍ମଳ ଚରିତ୍ର ଓ କର୍ମ ପ୍ରବଣତା ଦେଖି ବହୁ ଓଡିଆ ଛାତ୍ର ତାଙ୍କୁ ନିଜର ନେତା ରୂପେ ମାନିନେଲେ । ୧୯୦୬ରେ ଗୋପବନ୍ଧୁ ବି.ଏଲ୍ ପାସ କଲେ ମଧ୍ୟ ପତ୍ନୀଙ୍କ ବିୟୋଗ ତାଙ୍କୁ ଦୋହଲାଇ ଦେଇଥିଲା । ମାତାପିତା ପୁତ୍ର ଓ ପତ୍ନୀ ସମସ୍ତଙ୍କୁ ହରାଇଥିଲେ ମଧ୍ୟ ସେ ସେବା ପଥରୁ ବିଚ୍ୟୁତ ହୋଇନଥିଲେ । ଦେଶର ସ୍ୱାଧୀନତା ପାଇଁ ଗୋଟିଏ ଯୁବ ବାହିନୀର ଆବଶ୍ୟକତା ଅନୁଭବ କରିଥିଲେ । ଓକିଲାତି ପାସ୍ କରିବାପରେ ଗୋପବନ୍ଧୁ କଟକରେ ମଧୁସୂଦନ ଦାସଙ୍କ ଅଧୀନରେ, ତା’ପରେ ପୁରୀରେ ସ୍ୱାଧୀନ ଭାବେ ଓକିଲାତି କଲେ । ଏହାପରେ ସେ ମୟୂରଭଞ୍ଜର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ଅନୁରୋଧ କ୍ରମେ ମୟୂରଭଞ୍ଜରେ ସରକାରୀ ଓକିଲ ଭାବେ କାର୍ଯ୍ୟ ନିର୍ବାହ କଲେ । ସେଠାରେ ସେ ଅନେକ ରାଜନୈତିକ ସଂସ୍କାର ମଧ୍ୟ ଆଣିଥିଲେ । ମହାରାଜାଙ୍କ ମୃତ୍ୟୁ ପରେ ସେ ମୟୂରଭଞ୍ଜ ଛାଡି କଟକ ଚାଲିଆସିଲେ । ସତ୍ୟ-ନ୍ୟାୟନିଷ୍ଠ ଗୋପବନ୍ଧୁ ଓକିଲାତି କରି ଆତ୍ମସନ୍ତୋଷ ଲାଭ କରିପାରିନଥିଲେ । ଖ୍ରୀ: ୧୯୦୬ରେ ଓଡିଶାର ସାଧାରଣ ଶିକ୍ଷିତ ଯୁବକମାନଙ୍କୁ ନେଇ ‘ୟଙ୍ଗ ଉକ୍ରଳ ଆସୋସିଏସନ୍ ବା ଉକ୍ରଳ ଯୁବକ ସମିତି’ ଗଠନ କଲେ । ବିଶ୍ୱ ବିଦ୍ୟାଳୟର ଛାତ୍ରମାନେ ଏହି ସଂଘର ସକ୍ରୀୟ କର୍ମୀ ଭାବେ ଯୋଗ ଦେଲେ ଓ ଦେଶରେ ବହୁ ଲୋକହିତକର କାର୍ଯ୍ୟ କଲେ । କିନ୍ତୁ ଶିକ୍ଷା ବିଭାଗର ଶୁଭ ଦୃଷ୍ଟି ଏହି ସମିତି ଉପରେ ନଥିବାରୁ ଏହାର କାର୍ଯ୍ୟ ପରିସର ସଙ୍କୁଚିତ ହୋଇ ଏହା ‘ଛାତ୍ର ସମ୍ମିଳନୀ ରୂପ ନେଲା  । ‘ଉକ୍ରଳ ସମ୍ମିଳନୀ’ ସହିତ ଏହି ସଂଘଟି ସଂଲଗ୍ନ ଥିଲା । ତେଣୁ ବନ୍ୟା,ଦୁର୍ଭିକ୍ଷ, ମହାମାରୀ ପ୍ରଭୁତି ବିପତିରେ ଲୋକମାନଙ୍କର ସେବା କରିବାରେ ଏହା ବଦ୍ଧ ପରିକର ଥିଲା । ପରବର୍ତ୍ତୀ ସମୟରେ ଏହା ‘କେନ୍ଦ୍ର ଯୁବ ଉକ୍ରଳ ସଂଘ’ ରୁପେ ଦେଖାଦେଲା । ଓଡିଶାର ବିଭିନ୍ନ ସ୍କୁଲ୍ କଲେଜରେ ଏହାର ଶାଖାମାନ ସ୍ଥାପିତ ହେଲା । ବନ୍ୟା ଦୁର୍ଗତ ଅଞ୍ଚଳରେ ଲୋକସେବା କରିବାଠାରୁ ସାହିତ୍ୟ ଚର୍ଚ୍ଚା , ଯଥା କୁ ସଂସ୍କାର ବିରୁଦ୍ଧରେ ସଂଗ୍ରାମ,ବାଲ୍ୟବିବାହ,ଯøତୁକ ପ୍ରଥାକୁ ପ୍ରତିହତ କରିବା , ବିଧବା ବିବାହକୁ ଆଇନ ସମ୍ମତ କରିବା , ସମାଜରେ ସ୍ୱାକ୍ଷରିତ ପ୍ରଚାର କରିବା ଥିଲା ଏହି ସଂଗଠନର ମୂଳ ଲକ୍ଷ୍ୟ  । ମଧୁସୂଦନ ଦାସଙ୍କ ଉତ୍ସାହ ଓ ଗୋପବନ୍ଧୁଙ୍କ ନେତୃତ୍ୱ ଏହି ସଂଘକୁ ଉପଯୁକ୍ତ ପଥ ଦେଖାଇଥିଲା । ପରବର୍ତ୍ତୀ ସମୟରେ ଏହି ଯୁବକମାନେ ହିଁ ଦେଶର ପ୍ରଧାନ ସେବକ ଭାବେ ପରିଚିତ ହେଲେ  । ପ୍ରାଚୀନ ଯୁଗରେ ଉକ୍ରଳ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ସମ୍ମାନଜନକ ସ୍ଥାନ ଅଧିକାର କରିଥିଲେ ହେଁ ଇଂରେଜ ରାଜତ୍ୱ କାଳରେ ମ୍ୟାକ୍ଲେଙ୍କ ପ୍ରବର୍ତ୍ତିତ ଶିକ୍ଷାନୀତିର ଅସାରତାକୁ ଗୋପବନ୍ଧୁ ହୃଦୟଙ୍ଗମ କରିଥିଲେ । ଦେଶ ଓ ଜାତିର ଜାଗରଣ ମୂଳରେ ଶିକ୍ଷାର ଉପାଦେୟତା ଯେ ଅଧିକ ଓ ଗୋଟିଏ ପରାଧୀନ ଦେଶର ଉନ୍ନତି ପାଇଁ ନିରକ୍ଷରତା ଦୁରୀକରଣ ଯେ ଜରୁରୀ; ଏହା ସେ ବୁଝିପାରିଥିଲେ । ତେଣୁ ସେ ଅତୀତ ପରମ୍ପରା, ଆଭିମୁଖ୍ୟ ଓ ଆଦର୍ଶ ଅନୁଶୀଳନ ପୂର୍ବକ ଜାତୀୟ ଶିକ୍ଷା ସଂସ୍କୃ୍ତିର ଉତ୍ଥାନ ପାଇଁ ବୈଦିକ ଯୁଗର ଗୁରୁକୁଳାଶ୍ରମ ସ୍ୱରୁପ ବନ ବିଦ୍ୟାଳୟର ପରିକଳ୍ପନା କରିଥିଲେ  । ଗୋପବନ୍ଧୁଙ୍କ ଏକାନ୍ତ ଅନୁଗତ ପଣ୍ଡିତ ନୀଳକଣ୍ଠ, ଗୋଦାବରୀଶ ମିଶ୍ର ଓ ହରିହରଙ୍କ ନୈତିକ ସମର୍ଥନ ଓ ଅନେକ ଶୁଭେଚ୍ଛୁଙ୍କ ଆଶୀର୍ବାଦ , ସହଯୋଗରେ ମହାରାଷ୍ଟ୍ରର ଫର୍ଗୁସନ ମହାବିଦ୍ୟାଳୟ ଢାଞ୍ଚାରେ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପିତ ହେଲା  । ଭକ୍ତକବି ମଧୁସୂଦନ ରାଓଙ୍କ ପରାମର୍ଶ କ୍ରମେ ସାକ୍ଷୀଗୋପାଳର ଛୁାରିଆନା କୁଞ୍ଜ ବିଦ୍ୟାଳୟ ପାଇଁ ଉକ୍ରୃଷ୍ଟ ସ୍ଥାନ ରୁପେ ନିରୁପିତ ହେଲା । ଏକ ସୁଚିନ୍ତିତ ଶିକ୍ଷା ଯୋଜନା ମାଧ୍ୟମରେ ବାସ୍ତବ ଜୀବନ ଉପଯୋଗୀ , ମାନବିକ ମୂଲ୍ୟବୋଧ ଭିତ୍ତିକ ପ୍ରକୃତିଗତ ଶିକ୍ଷା ଉପରେ ଗୁରୁତ୍ୱ ଦିଆଗଲା । ବିଦ୍ୟାଳୟ ପାଇଁ ବ୍ୟୟବହୁଳ କୋଠାବାଡି ପରିବର୍ତ୍ତେ ମୁକ୍ତ ଆକାଶ ତଳେ ବକୁଳବନର ରମଣୀୟ ପରିବେଶରେ ଛାତ୍ରମାନଙ୍କ ପଢିବାର ବ୍ୟବସ୍ଥା କରାଗଲା । କ୍ରମେ ଏଠାରେ ଛପର ଘର ତୋଳାଯାଇ ପାଠପଢା ବ୍ୟବସ୍ଥା ମଧ୍ୟ କରାଗଲା । ଲର୍ଡ କର୍ଜନ ସତ୍ୟବାଦୀ ବିଦ୍ୟାଳୟର ଗୁରୁକୁଳ ଶିକ୍ଷାର ପ୍ରଶଂସା କରି କହିଥିଲେ, ‘ବସ୍ତୁତଃଗୁରୁ ଯେଉଁଠାରେ ଶିଷ୍ୟକୁ ସୁଖ ଦୁଃଖ, ହର୍ଷ, ଆମୋଦ ମଧ୍ୟରେ ପରୀକ୍ଷା କରି ପାରନ୍ତି, ତାହାର ସମସ୍ତ ଚିତବୃତିକୁ ନିୟନ୍ତ୍ରିତ କରନ୍ତି ଏବଂ ତା’ର ଭବିଷ୍ୟତ ଜୀବନକୁ ନିଜ ଆଙ୍ଗୁଠିରେ ଗଠନ କରନ୍ତି’, ସେହିଠାରେ ହିଁ ପ୍ରକୃତ ବିଦ୍ୟାଳୟ, ସେହିଠାରେ ହିଁ ବାଳକ ତା’ର ଉପଯୁକ୍ତ ଶିକ୍ଷା ପାଏ ।” ଅଳ୍ପଦିନ ମଧ୍ୟରେ ଭାରତର ବହୁ ବିଜ୍ଞ ବ୍ୟକ୍ତି, ଶାସକ, ରାଜନୈତିକ ବ୍ୟକ୍ତି ଏହି ବିଦ୍ୟାଳୟର ପରମ୍ପରା, ଆଦର୍ଶ ଓ ଶିକ୍ଷାନୀତି ପ୍ରତି ଆକୃଷ୍ଟ ହେଲେ । ଫଳରେ, ଓଡିଶାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଛାତ୍ର ଏଠାରେ ଯୋଗଦେଲେ । ଦେଶର ସେବା ପାଇଁ ବାସ୍ତବରେ ଏହିଠାରେ ହିଁ ଗୋପବନ୍ଧୁଙ୍କର ପରିକଳ୍ପନା ବାସ୍ତବ ରୂପ ନେଇଥିଲା । ଏହିପରି ଭାବେ ନୂତନ ଉତ୍ସାହ ଓ ପ୍ରଗତିଶୀଳ ସାମାଜିକ ଆଭିମୁଖ୍ୟ ସହିତ ସତ୍ୟବାଦୀର ବନବିଦ୍ୟାଳୟ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲା । ମାତ୍ର ରକ୍ଷଣଶୀଳ ବ୍ରାହ୍ମଣ ସମାଜ ହରିଜନମାନଙ୍କୁ ଏକ ସଙ୍ଗରେ ଅଧ୍ୟୟନର ସୁଯୋଗ ଦେବାକୁ ପସନ୍ଦ କରୁନଥିଲେ । ତେଣୁ, କେତେକ ନଷ୍ଟସ୍ୱାର୍ଥ ବ୍ୟକ୍ତି ଚକ୍ରାନ୍ତ କରି ସତ୍ୟବାଦୀ ବିଦ୍ୟାଳୟରେ ନିଆଁ ଲଗାଇଦେଲେ । ଅଗ୍ନି କାଣ୍ଡରେ ସବୁ ଧ୍ୱଂସ ହୋଇଯିବା ପରେ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ନୂତନ ସ୍କୁଲ ନିର୍ମାଣ ହେଲା । ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟ ଗାନ୍ଧିଜୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଓଡିଶାର ପ୍ରଥମ ଜାତୀୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉପରୁ ଆସ୍ତେ ଆସ୍ତେ ପ୍ରତ୍ୟାହୃତ ହେଲା । ଗୋପବନ୍ଧୁ ଓ ବିଦ୍ୟାଳୟର ଅନ୍ୟ ଶିକ୍ଷକମାନଙ୍କ ଅସହଯୋଗ ଆନ୍ଦୋଳନ ଓ ମହାତ୍ମା ଗାନ୍ଧୀଙ୍କ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମରେ ଯୋଗଦାନ ହେତୁ ଆର୍ôଥକ ଦୁଃସ୍ଥିତି ଓ ପ୍ରତିକୂଳ ପରିସ୍ଥିତି ଭିତରେ ସତ୍ୟବାଦୀ ବିଦ୍ୟାଳୟର ବିପର୍ଯ୍ୟୟ ଘଟିଲା । ୧୯୨୧ ମସିହାରେ ସତ୍ୟବାଦୀ ବିଦ୍ୟାଳୟ ଜାତୀୟ ବିଦ୍ୟାଳୟରେ ପରିଣତ ହେବା ପରେ ଏହାର ପୂର୍ବ ମୌଳିକତା ଆସ୍ତେ ଆସ୍ତେ ନଷ୍ଟ ହେଲା । ଗୋପବନ୍ଧୁଙ୍କର ନୂତନ ଶିକ୍ଷାନୀତି ବିଶେଷ କାର୍ଯ୍ୟକାରୀ ହୋଇପାରିନଥିବାରୁ ବନ ବିଦ୍ୟାଳୟର ସଂସ୍କାରିତ ରୂପ ଅନ୍ଧକାର ଭିତରେ ବିଲୀନ ହେଲା । ଏହି ବିଦ୍ୟାଳୟ ବନ୍ଦ ହୋଇଯିବାର ଦୁଇ ବର୍ଷ ପରେ ୧୯୨୮ ମସିହା ଜୁନ ୧୭ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।ସତ୍ୟବାଦୀର ସୁରଭିତ ପୁଷ୍ପ ଅକାଳରେ ମଉଲିଗଲା । ଉକ୍ରଳ ଜନନୀ ତା’ର ବରପୁତ୍ରକୁ ହରାଇଲା । ଓଡିଶାର ଅଖଣ୍ଡ ଜ୍ୟୋତି ନିର୍ବାପିତ ହୋଇ ମଧ୍ୟ ଅମ୍ଳାନ ଜ୍ୟୋତି ବିକିରଣ କରିଗଲା । ଗୋପବନ୍ଧୁଙ୍କ ଭାଷାରେ “ମାନବ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ କର୍ମେ ଜିଏ ନର କର୍ମ ଏକା ତା’ର ଜୀବନର ମାନଦଣ୍ଡ ।” ଭା.ପ୍ର.ସେ., ଜିଲ୍ଲାପାଳ

ଗୋପବନ୍ଧୁ ଓଡ଼ିଶାର ମଣି

ଗୋପବନ୍ଧୁ ଓଡ଼ିଶାର ମଣି, ଉକ୍ରଳମଣି ଜଣେ ସମାଜସେବୀ, ସମାଜ ସଂସ୍କାରକ, ସକ୍ରିୟ ରାଜନୀତିଜ୍ଞ, ସାମ୍ବାଦିକ, କବି, ପ୍ରାବନ୍ଧିକ, ବିଶିଷ୍ଟ ଶିକ୍ଷାବିତ୍ ଓ ଓକିଲ ଭାବରେ ବେଶ୍ ଜଣାଶୁଣା ଥିଲେ । ସେ ୯ ଅକ୍ଟୋବର ୧୮୭୭ ମସିହାରେ ପବିତ୍ର ଦଶହରା ଦିବସରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଶ୍ରୀ ଦୈତାରୀ ଦାସ ଓ ମାତାଙ୍କ ନାମ ହେଉଛି ସ୍ୱର୍ଣ୍ଣମୟୀ ଦେବୀ । ସେ ପୁରୀ ଜିଲ୍ଲାର ସୁଆଣ୍ଡୋ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶୈଶବରୁ ସେ ଥିଲେ ମାତୃହରା । ପ୍ରଥମେ ତାଙ୍କର ବାଲ୍ୟଶିକ୍ଷା ଗାଁ ଚାଟଶାଳୀରେ ହୋଇଥିଲା । ୧୮୯୩ ମସିହାରେ ସେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେଇଠି ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ରଙ୍କ ସହିତ ସାକ୍ଷାତ୍ ହେଲା । ସେ ପାଲଟିଗଲେ ଗୋପବନ୍ଧୁଙ୍କର ଦିଗ୍ଦର୍ଶକ ଏବଂ ଦେଶସେବୀର ପଥପ୍ରଦର୍ଶକ । ଗୋପବନ୍ଧୁ ପୁରୀରେ ପଢ଼ୁଥିଲା ବେଳେ ପୁରୀରେ ଏକ ଭୟଙ୍କର ହଇଜା ହୋଇଥିଲା ଯେଉଁଥିରେ ପାଖାପାଖି ୭୫ ହଜାର ଲୋକ ମରିଥିଲେ । ଗୋପବନ୍ଧୁ ପୁରୀରେ ଏକ ସେବା ସମିତି ଗଠନ କରି ଏହି ହଇଜା ଆକ୍ରାନ୍ତ ରୋଗୀଙ୍କର ସେବା କରିବା ସହିତ ରାତିଦିନ ଲାଗି ସେମାନଙ୍କର ଶବ ସକ୍ରାର କରୁଥିଲେ । ତାଙ୍କର ଏହି ହଇଜା ସେବାରୁ ପୁରୀ ଗଢ଼ିଉଠିଲା କଲେରା ଡାକ୍ତରଖାନା ବା କଲେରା ହସ୍ପିଟାଲ ନାମରେ ଯାହାକି ଏବେ ପରିଚିତ । ଛାତ୍ରାବସ୍ଥାରୁ ସେ ଥିଲେ ଜଣେ ବିପ୍ଲବୀ । ତେଣୁ ସେ କୌଣସି ପ୍ରକାର ଅନ୍ୟାୟକୁ ବରଦାସ୍ତ କରିପାରୁନଥିଲେ । ଏମିତିକି ତତ୍କାଳୀନ ଶିକ୍ଷାଅଧିକାରୀ ଶ୍ରୀ ରାଧାନାଥ ରାୟଙ୍କୁ ମଧ୍ୟ ଆକ୍ରମଣ ନକରି ଛାଡ଼ି ଦେଇନଥିଲେ । ଅବଶ୍ୟ ପରବର୍ତୀ ସମୟରେ ସେ ପାଲଟିଗଲେ ରାଧାନାଥ ରାୟଙ୍କର ଜଣେ ବିଶିଷ୍ଟ ବନ୍ଧୁ ।ମାତ୍ର ୧୨ ବର୍ଷରେ ସେ ଅପର୍ତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ତାଙ୍କ ପଢ଼ାରେ ପ୍ରତିବନ୍ଧକ ନଥିଲା । ପୁରୀରୁ ମାଟ୍ରିକ୍ ପାସ୍ ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ନାମ ଲେଖାଇଲେ । ଠିକ୍ ଏତିକିବେଳେ ତାଙ୍କର ପିତୃବିୟୋଗ ହେଲା । ତଥାପି ଧୈର୍ଯ୍ୟ ନହରାଇ ସେ ପଢ଼ା ଚାଲୁ ରଖିଲେ । ଏହି ସମୟରେ ବଙ୍ଗୀୟମାନେ ଓଡ଼ିଆ ଭାଷାର ବିଲୋପ ପାଇଁ ଚକ୍ରାନ୍ତ ଆରମ୍ଭ କରିଥାଆନ୍ତି । କ୍ରାନ୍ତି ଲାଲ ଭଟ୍ଟାଚାର୍ଯ୍ୟଙ୍କ ଭାଷାରେ ‘ଓଡ଼ିଆ ଏକଟା ଭାଷା ନୟେ, ଗୋପବନ୍ଧୁ ଏହା ବିରୋଧରେ ଆନ୍ଦୋଳନ କଲେ । ସେ ‘କର୍ତବ୍ୟବୋଧିନୀ’ ସମିତି ଗଠନ କରି ତା ମାଧ୍ୟମରେ ଏହାର ତୀବ୍ର ପ୍ରତିବାଦ କଲେ । ତାଙ୍କର ଆହ୍ୱାନ ଥିଲା ‘ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତା ଭାଷା । ଭାଷା ହିଁ ଜାତିର ପ୍ରାଣସ୍ପନ୍ଦନ’ । ଏନେଇ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ରମ୍ଭାଠାରେ ଉକ୍ରଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ୧୯୦୩ ମସିହାରେ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉକ୍ରଳ ସମ୍ମିଳନୀରେ ସେ କଟକରେ ଯୋଗଦେଇଥିଲେ । ଏତିକି ବେଳେ ତାଙ୍କ ପ୍ରଥମ ପୁତ୍ରସନ୍ତାନଙ୍କ ମୃତ୍ୟୁ ଘଟିଲା । ତଥାପି ସେ ପଢ଼ା ଓ ଦେଶସେବାରେ ଆଗୁସାର ଥିଲେ । ୧୯୦୪ରେ ରେଭେନ୍ସା କଲେଜରୁ ବି.ଏ ପାସ୍ କଲେ । ସେତେବେଳେ ସେ ଥିଲେ ଓଡ଼ିଶାର ୧୭ ନମ୍ବର ଗ୍ରାଜୁଏଟ୍ । ତାପରେ କଲିକତାରେ ବି.ଏଲ୍ ପଢ଼ିଲେ । ସେଠାରେ ପ୍ରବାସୀ ଓଡ଼ିଆଙ୍କର ଦୁଃଖ ଦୁର୍ଦ୍ଦଶା ଦେଖି ଭାଙ୍ଗିପଡ଼ିଲେ ଏବଂ ଏହି ଶ୍ରମିକମାନଙ୍କୁ ନେଇ ଏକ ‘ଶ୍ରମିକ ସଂଘ’ ଓ ସେମାନଙ୍କର ଶିକ୍ଷାର ଉନ୍ନତିକଳ୍ପେ ଏକ ‘ସାଂଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ । ଇତିମଧ୍ୟରେ ତାଙ୍କ ୨ୟ ପୁତ୍ରର ମଧ୍ୟ ମୃତ୍ୟୁ ହେଲା ଆଉ ଯେଉଁଦିନ ବି.ଏଲ୍ ପାସ୍ ଖବର ଶୁଣିଲେ ସେଇଦିନ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ମୃତ୍ୟୁ ହେଲା । ସତରେ ଦଇବର ଏ କି ଦଣ୍ଡ । ତଥାପି ଗୋପବନ୍ଧୁ ନିର୍ବିକାର ପୁରୁଷ ପରି ଆଗେଇ ଚାଲିଲେ । ଧନ୍ୟ ତୁମେ ଗୋପବନ୍ଧୁ ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ଗଠନରେ ମଧ୍ୟ ତାଙ୍କ ଭୂମିକା କମ୍ ନୁହେଁ । ମଧୁସୂଦନ ଓ ଅନ୍ୟମାନଙ୍କ ସହ ସେ ମଧ୍ୟ ଥିଲା ଅଗୁସାର । ୧୯୧୮ ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ସେବା ଥିଲା ତାଙ୍କର କର୍ମ ଏବଂ ଧର୍ମ । ବନ୍ୟା, ମରୁଡ଼ି ଓ ଯେ କୌଣସି ଦଇବ ଦୁର୍ଘଟଣା ବେଳେ ସେ ଥିଲେ ଆପତ୍କାଳୀନ ସାଥୀ । ଚୂଡ଼ା, ଚାଉଳ, ସାହାଯ୍ୟ ସହଯୋଗ ଓ ଲୋକବଳ ଧରି ସେ ଥିଲେ ତାଙ୍କ ପାଖରେ ହାଜର । ଆଖିରେ ଥିଲା ସେମାନଙ୍କ ପାଇଁ; କାନ୍ଦ ଆଉ କାନ୍ଦ । ଖାଲି କାନ୍ଦ । ସେ ସେମାନଙ୍କର ଦୁଃଖ ନେଇ ସରକାରଙ୍କର ପାଖରେ ଉପସ୍ଥାପନ କରୁଥିଲେ । ଦୁଃଖ ହାରୁଥିଲେ । ସେବା ପାଖରେ ତାଙ୍କ ପରିବାର ବି କିଛି ନୁହେଁ । ଥରେ ସେମିତି ବନ୍ୟାକାଳୀନ ସେବା ବେଳେ ସେ ବାର୍ତା ପାଇଲେ ଯେ ତାଙ୍କ ପୁତ୍ର ଶଯ୍ୟାଶାୟୀ । ତାଙ୍କୁ ଯିବାକୁ ହେବ । ସେ ଗଲେ ନାହିଁ ଏବଂ ଓଲଟ କହିଲେ : ମୋ ପୁଅ ପାଇଁ ଜଗନ୍ନାଥ ଅଛନ୍ତି । ଅଛନ୍ତି ଅନ୍ୟମାନେ । ସେମାନେ ବୁଝିବେ ।... । ଯାହା ଘଟିବା କଥା ଘଟିବ । ଏଠି ଶହ ଶହ ସନ୍ତାନ ବି ଦୁର୍ଦ୍ଦଶାରେ ଅଛନ୍ତି ଦେଖିପାରୁଛ ? ମୁଁ ଏମାନଙ୍କୁ ଛାଡ଼ି କେମିତି ଯିବି ? ପୁଅ ଚାଲିଗଲା । ସେ ଗଲେ ନାହିଁ । କେମିତି ବାପା ଇଏ ? ଆଉ ଥରେ ବନବିଦ୍ୟାଳୟ ଥିବା ବେଳେ ସେ ଘର ଭିତରେ ଶୋଇଥାନ୍ତି । ତାଙ୍କ ପାଖରେ ଶୋଇଥାନ୍ତି ତାଙ୍କର ବିଶ୍ୱସ୍ତ ସେବକ ରାମଚନ୍ଦ୍ର ବାରିକ । ବାହାର ବାରଣ୍ଡାରେ ଶୋଇଥାନ୍ତି ଆଚାର୍ଯ୍ୟ ହରହର । ପ୍ରବଳ ବର୍ଷା ତାଙ୍କ ନିଦ ଭାଙ୍ଗିଗଲା । ସେ ଉଠିକି ଭୋ ଭୋ କାନ୍ଦିଲେ । ଏ କାନ୍ଦଣାରେ ରାମଚନ୍ଦ୍ର ବାରିକ ଓ ଆଚାର୍ଯ୍ୟ ହରିହରଙ୍କର ନିଦ ଭାଙ୍ଗିଗଲା । ସେମାନେ ପଚାରିଲେ : ଏ କ’ଣ ? ଆପଣ କାନ୍ଦୁଛନ୍ତି କାହିଁକି ? ସେ କହିଲେ : ଦେଖିପାରୁନ ମୁର୍ଖ । ଇଏ କିମିତି ବର୍ଷୁଛି । ମାସେ ତଳେ ମୁଁ ଦେଖି ଆସିଥିବା ଭଙ୍ଗା କାନ୍ଥ ଓ ଚାଳ ଉଡିଯାଇଥିବା କୁଡ଼ିଆରେ ମୋ ପିଲାଏ ବଂଚିଥିବେ କେମିତି ? ଏ ହେଉଛନ୍ତି ଦୀନବନ୍ଧୁ, ‘ଦୀନବନ୍ଧୁ ଗୋପବନ୍ଧୁ’ । ତାଙ୍କର ବିଶ୍ୱାସ ଥିଲା ଯେ ସମାଜର ଉନ୍ନତି ପାଇଁ ଶିକ୍ଷା ହିଁ ଏକମାତ୍ର ଆଧାର । ଶିକ୍ଷା ମାଧ୍ୟମରେ ସମାଜର ପରିବର୍ତନ ସମ୍ଭବ । ଏଣୁ ସମାଜର ପ୍ରଗତି ଓ ଉନ୍ନତିକଳ୍ପେ ତଥା ମୁକ୍ତାଆର୍ ରାମଚନ୍ଦ୍ର ଦାଶଙ୍କ ପରାମର୍ଶ ଓ ମଧୁସୂଦନ ଦାସଙ୍କ ନିଷ୍ପତି କ୍ରମେ ୧୯୦୯ରେ ସେ ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା ବନରେ ଗଢ଼ିଲେ ସତ୍ୟବାଦୀ ବନବିଦ୍ୟାଳୟ । ଏହା ରବୀନ୍ଦ୍ରନାଥଙ୍କ ଶାନ୍ତିନିକେତନର ଢ଼ାଂଚାରେ ଗଢ଼ାଗଲା ଏବଂ ଏହାର ଉଦ୍ଦେଶ୍ୟ ଥିଲା ଯେ ଏଠାକାର ଶିକ୍ଷାଦ୍ୱାରା ଯେପରି ଜଣେ ଛାତ୍ରର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଉନ୍ନତି ହେଉ । ଏକ ପ୍ରାକୃତିକ ପରିବେଶ ମଧ୍ୟରେ ଏହା ଥିଲା ଏକ ଆବାସୀ ବିଦ୍ୟାଳୟ ଯେଉଁଠି ଗୁରୁଶିଷ୍ୟଙ୍କ ସଂପର୍କ ଥିଲା ପୂର୍ଣ୍ଣ, ପବିତ୍ର ଓ ମଧୁମୟ । ଏଇଠୁ ସୃଷ୍ଟି ହେଉଥିଲେ ଅନେକ ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ । ଜଣେ ଓକିଲ ହିସାବରେ ସେ ବିଫଳ କାରଣ ଗରିବ ଲୋକଙ୍କୁ ଶୋଷଣ କରିବା ତାଙ୍କର ମନୋବୃତି ନଥିଲା । ଓଲଟି ସେ ସେମାନଙ୍କର ସମସ୍ୟାକୁ କଚେରୀ ଦୁଆର ମୁହଁରୁ ମାଗଣା ମାଗଣାରେ ଆଶୁ ଆପୋଷ ସମାଧାନ କରି ଛାଡ଼ି ଦେଉଥିଲେ । କାହାକୁ ସର୍ବସ୍ୱାନ୍ତ ହେବାକୁ ସେ ଦେଉନଥିଲେ । ଗୋପବନ୍ଧୁ ମଧୁସୂଦନ ଦାସଙ୍କ ପାଖରେ ଓକିଲାତି କରୁଥିଲେ । ସେ ତାଙ୍କର ପରାମର୍ଶକ୍ରମେ ମୟୂରଭଂଜର ରାଜା ଶ୍ରୀରାମଚନ୍ଦ୍ର ଭଂଜଙ୍କର ସହକାରୀ ଓକିଲ ଭାବରେ ଯୋଗଦେଇ ବେଶ୍ ଶ୍ରଦ୍ଧାଭାଜନ ଓ ନାଁ କମାଇଥିଲେ । ତାଙ୍କର ସାଧୁତା ଓ ମଣିଷ ପଣିଆ ରାଜାଙ୍କୁ ବେଶ୍ ପ୍ରୀତ କରିଥିଲା । ରାଜାଙ୍କ ମୃତ୍ୟୁ ପରେ ସେ ମୟୂରଭଂଜ ଛାଡ଼ିଥିଲେ । ପ୍ରଥମରୁ ଗୋପବନ୍ଧୁ ରାଜନୀତିର ଧାର ଧରୁନଥିଲେ । ଅଥତ ମଧୁବାବୁଙ୍କ ପ୍ରରୋଚନାରେ ସେ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ଓଡ଼ିଶା-ବିହାର ବିଧାନସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ସେ ମଧ୍ୟ ୧୯୨୦ରେ କଲିକତାରେ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ ଯେଉଁଠି ଗାନ୍ଧୀଙ୍କ ଆଦର୍ଶ ପ୍ରତି ସେ ଆକର୍ଷିତ ହୋଇଥିଲେ । ତାଙ୍କରି ନିମନ୍ତ୍ରଣରେ ଗାନ୍ଧିଜୀ ପ୍ରଥମ କାଠଯୋଡ଼ି ଠାରେ ଅସହଯୋଗ ଭାଷଣ ଓ ଆନ୍ଦୋଳନର ମୂଳଦୂଆ ଓଡ଼ିଶାରେ ପକାଇଥିଲେ । ଗୋପବନ୍ଧୁ ଥିଲେ ଓଡ଼ିଶା କଂଗ୍ରେସ ପ୍ରଦେଶ କମିଟିର ପ୍ରଥମ ଅଧ୍ୟକ୍ଷ । ସେ ତାଙ୍କ ପ୍ରଚେଷ୍ଟାରେ ଓ କଂଗ୍ରେସକର୍ମୀଙ୍କ ସହାୟତାରେ କଟକରେ ସ୍ୱରାଜ ସେବକ ସଂଘ ଓ ଆଶ୍ରମ ଗଠନ କରିଥିଲେ । ଯେଉଁଥିପାଇଁ ସେ ବ୍ରିଟିଶ ସରକାରଙ୍କର ଚକ୍ଷୁଶୀଳ ହେଲେ । ସେଥିପାଇଁ ସେ ୧୯୨୨ ମେ ୩୧ରେ ଗିରଫ ହୋଇ ୨ ବର୍ଷ ପାଇଁ ଜେଲ୍ ଭୋଗିଲେ ଏବଂ ୧୯୨୪ ମସିହା ଜୁନ୍ ୨୬ ଜାନୁୟାରୀରେ ହଜାରିବାଗ୍ ଜେଲରୁ ମୁକ୍ତ ହୋଇଥିଲେ । ତାଙ୍କୁ ଟ୍ରେନ୍ ଯୋଗେ କଟକ ଆସିବା ବେଳେ ଓ କଟକରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା କରାଯାଇଥିଲା । ଓଡ଼ିଶା ଲୋକଙ୍କ ଦୁର୍ଦ୍ଦଶା ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମାଗାନ୍ଧିଙ୍କ ବାର୍ତା ଓ ଜାତୀୟ ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବା ପ୍ରୟାସରେ ସେ ୧୯୧୪ରେ ସତ୍ୟବାଦୀରୁ ଏକ ମାସିକ ପତ୍ରିକା ‘ସତ୍ୟବାଦୀ’ ଏବଂ ୪ ଅକ୍ଟୋବର ୧୯୧୯ ମସିହା ଦଶହରା ତିଥିରେ ଆରମ୍ଭ କରିଥିଲେ ସାପ୍ତାହିକ ସମାଜ । ପରେ ଏହି ସମାଜ ୧୯୨୪ରୁ ପୁରୀରୁ ଓ ୧୯୨୭ ମସିହାରୁ କଟକରୁ ପ୍ରକାଶିତ ହେଲା । ୧୯୩୦ରୁ ସାପ୍ତାହିକ ସମାଜ ଦୈନିକରେ ପରିଣତ ହେଲା । ଏ ସମାଜରେ ଇଂରେଜ ସରକାରଙ୍କର ଦୁର୍ନୀତି ଓ ଶୋଷଣ ବିରୁଦ୍ଧରେ ସେ ତାଙ୍କର ଶାଣିତ ଲେଖନୀ ଚାଳନା କାରଣରୁ ୧୯୨୨ରେ କାରାବରଣ ମଧ୍ୟ କରିଥିଲେ । ୧୯୨୪ ଜୁନ୍ ୨୭ରେ ସେ କାରାମୁକ୍ତ ହେଲେ ଏବଂ ଏହି ଅବସରରେ ତାଙ୍କୁ ଏକ ବିଶାଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଇଠି ଭାଷଣରେ ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର ରାୟ ତାଙ୍କୁ ଉକ୍ରଳମଣି ବୋଲି ସମ୍ବର୍ଦ୍ଧିତ କରିଥିଲେ ଏବଂ ଉପାଧିକୁ ସମବେତ ଜନତାର କରତାଳି ଧ୍ୱନିରେ ସ୍ୱୀକୃତି ପ୍ରଦାନ କରିଥିଲେ । ସେବେଠୁ ସେ ହେଲେ ‘ଉକ୍ରଳମଣି ଗୋପବନ୍ଧୁ’ । ଏହି କାରବାସ ବେଳେ ସେ ତାଙ୍କର ‘କାରାକବିତା ଓ ବନ୍ଦୀର ଆତ୍ମକଥା’ ରଚନା କରିଥିଲେ । ଗୋପବନ୍ଧୁଙ୍କର ତ୍ୟାଗ ଓ ଦରଦୀ ହୃଦୟରେ ପ୍ରୀତ ହୋଇ ଲାଲା ଲଜପତ ରାୟ ତାଙ୍କୁ ଲୋକସେବକ ମଣ୍ଡଳର ସଦସ୍ୟ ରୂପେ ଗ୍ରହଣ କରିଥିଲେ । ପରେ ଗୋପବନ୍ଧୁ ଥିଲେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ତାଙ୍କ ସାହିତ୍ୟରେ ଆମ ପାଇଁ ଛାଡ଼ି ଯାଇଥିବା କିଛି ଆପ୍ତ ବାକ୍ୟ :- ବିପଦ ପ୍ରଭୁଙ୍କ କଷଟି ପାଷାଣ ପରଖନ୍ତି ନାହିଁ ନର ହୃଦ ଟାଣ । ଉକ୍ରଳେ ନେତାର ନାହିଁ ପ୍ରୟୋଜନ ଉକ୍ରଳର ନେତା ନିଜେ ନାରାୟଣ । କାତରତା ସିନା କାପୁରୁଷ ପଣ ବୀର ମାରେ ଅବା ମରେ କରି ରଣ ସୁଖ ଦୁଃଖ ଚକ୍ର ଘୁରେ ନିରନ୍ତର ଏକ ପରେ ଆନ ଆସିବ ନିକର । ନିଜ ସ୍ୱାର୍ଥ ଲାଗି ଜାତି ନୁହେଁ ହିନ୍ଦୁ ବିଶ୍ୱ ହିତେ ତା’ର ପ୍ରତି ରକ୍ତବିନ୍ଦୁ । ଗୁଣ ଥିଲେ ରୂପରେ କି ଅଛି ପ୍ରୟୋଜନ ରୂପ ଅଟଇ କେବଳ ବାହ୍ୟ ଆବରଣ ପଛଘୁଂଚା ନାହିଁ ବୀରର ଜାତକେ ନମରେ ସେ କେବେ ପରାଣ ଆତଙ୍କେ । ଏହିପରି ଅନେକ ଆପ୍ତବାକ୍ୟ ତାଙ୍କ ସାହିତ୍ୟର ସୃଷ୍ଟିର ସମ୍ଭାର ମଧ୍ୟରେ ଅଛନ୍ତି । ୧୯୨୮ରେ ଲୋକସେବକ ମଣ୍ଡଳରେ ଯୋଗଦେବା ପାଇଁ ଲାହୋର ଗଲାବେଳେ ଗୋପବନ୍ଧୁ କଲିକତାଠାରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇପଡ଼ିଲେ ଏବଂ ସେଇଠୁ ସତ୍ୟବାଦୀ ଫେରି ଆସିଲେ । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଉଠିଲା । ସେ ମୃତ୍ୟୁକୁ ଏବେ ବହୁ ନିକଟରୁ ଦେଖିପାରୁôଥିଲେ । ଏଣୁ ମୃତ୍ୟୁପୂର୍ବରୁ ସେ ନିଜ ଇଚ୍ଛାପତ୍ରରେ ‘ସମାଜ’ ଓ ‘ସତ୍ୟବାଦୀ’ ପ୍ରେସର ପରିଚାଳନା ଭାର ଲୋକସେବକ ମଣ୍ଡଳକୁ ଅର୍ପଣ କରିଥିଲେ । ଏହି ଇଚ୍ଛାପତ୍ର ସଂପାଦନର ୨ ଘଂଟା ପରେ ଅର୍ଥାତ୍ ୨୬ ତାରିଖ ରବିବାର ସଂଧ୍ୟା ୭.୨୫ ମିନିଟ୍ରେ ସେ ଶେଷନିଶ୍ୱାସ ତ୍ୟାଗ କଲେ । ଏବେ ବନ୍ୟା, ମରୁଡ଼ି ବା ପ୍ରାକୃତିକ ଦୁର୍ବିପାକ କି ଦେଶସେବା ବା ରାଜନୀତି କଥା କହିଲେ ସେ ଦରଦୀ ଲୋକଟି ଖୋଜା ପଡ଼େ । ଗୋପବନ୍ଧୁ କାହିଁ ଗଲ... ?