Monday, January 1, 2018

ସ୍ମୃତିର ଆଇନାରେ ସିଂହଭୂମର ଗୋପବନ୍ଧୁ


୧୯୦୬ ମସିହାରେ ଗୋପବନ୍ଧୁ କଟକରେ ଓକିଲାତି ଆରମ୍ଭ କଲେ । ସେଇବର୍ଷ କେନ୍ଦ୍ରାପଡ଼ା ଓ ଯାଜପୁର ଅଞ୍ଚଳରେ ଭୟାବହ ବଢ଼ି ସେ ଅଞ୍ଚଳର ଅଧିକାଂଶ ଇଲାକାକୁ ବଡ଼ାଇ ରଖିଥିଲା । ଲୋକେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେତେବେଳର ରେଭେନ୍ସା ମହାବିଦ୍ୟାଳୟ ବର୍ତ୍ତମାନର ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ମାନଙ୍କୁ ଧରି ଚୁଡ଼ା, ଚାଉଳ, ଗୁଡ଼ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବନ୍ୟା ପ୍ଲାବିତ ଅଞ୍ଚଳର ଲୋକମାନଙ୍କୁ ବଣ୍ଟନ କରିଥିଲେ । ବନ୍ୟା ସମୟର ସ୍ଥାୟୀ ପ୍ରତିକାର ପାଇଁ "ସେଣ୍ଟ୍ରାଲ ୟଙ୍ଗ ଉକ୍ରଳ ଆସୋସିଏସନ୍' ନାମକ ସଂସ୍ଥା ଗଢ଼ିଥିଲେ । ତା'ଛଡ଼ା ସେ ସମୟର ବିଖ୍ୟାତ ଖବର କାଗଜ ମାନଙ୍କରେ ନିଜର ବକ୍ତବ୍ୟ ଦେଇ ସେ ସମୟର ନେତୃମଣ୍ଡଳୀଙ୍କୁ ବନ୍ୟା ବିଭୀଷିକାର ଟିକିନିଖି ଖବର ଜଣାଇ ପାରିଥିଲେ । ୧୯୧୨ରେ ବିହାର ଓଡ଼ିଶା ଗଠନ ହେବା ପରେ ଓଡ଼ିଆ ଭାଷାକୁ ଯେତେବେଳେ ଉଠାଇ ଦିଆଗଲା ସେତେବେଳେ ଷଢ଼େଇକଳା, ଖରସୁଆଁ, ବହଳାଗୋଡ଼ା, ଚାଇଁବସା, ଚକ୍ରଧରପୁର, ସୋନୁଆ, ଇଛା, ହାଟଗହ୍ଲାରିଆ, ଜୟନ୍ତଗଡ଼ ଛଡ଼ା ଅନ୍ୟାନ୍ୟ ଅଞ୍ଚଳ ଓ ସିଂହଭୂମିର ବିଶିଷ୍ଟ ବ୍ୟକ୍ତିବିଶେଷ ଏହାକୁ ବିରୋଧ କଲେ । ଏସବୁ ପଛରେ ଗୋପବନ୍ଧୁଙ୍କର ସମର୍ଥନ ଥିଲା । ଗୋପବନ୍ଧୁଙ୍କ ସ୍ମରଣ କରି ସିଂହଭୂମର ବିଶିଷ୍ଟ ଓଡ଼ିଆ ନେତା ତାରାପଦ ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ କହିଥିଲେ, କେତେ଼ କଷ୍ଟ ସ୍ୱୀକାର କରି ଦାସ ଆପଣେ ଅନ୍ୟାନ୍ୟ ଅଞ୍ଚଳ ସହ ଆମ ବହଳାଗୋଡ଼ା ଥାନା ଅଞ୍ଚଳର ବହଳାଗୋଡ଼ା, ଖଣ୍ଡାମଉଦା, ପଞ୍ଚଚୁଳିଆ, ଖମାର, ଅତଙ୍ଗ ପ୍ରଭୃତି ଗ୍ରାମ ପରିଦର୍ଶନ କରିଥିଲେ । ତାଙ୍କ ସାଙ୍ଗରେ ବୁଲିବାର ସୌଭାଗ୍ୟ ଏ ହତଭାଗ୍ୟର ହୋଇଥିଲା । ସେତେବେଳେ ବହଳାଗୋଡ଼ା ଅଞ୍ଚଳରେ ୧୬ଟି ଓଡ଼ିଆ ପ୍ରାଇମେରୀ ସ୍କୁଲ ଚଳୁଥିଲା । ପଞ୍ଚଚୁଳିଆ ଓଡ଼ିଆ ସ୍କୁଲରେ ଈଶ୍ୱର ହୋତାଙ୍କୁ ପଣ୍ଡିତ ଓ ବିଦ୍ୟାସାଗର ଉପାଧି ଦେଇ ଗୋପବନ୍ଧୁ ଅବସ୍ଥାପିତ କରିଥିଲେ । ଉପରୋକ୍ତ ବକ୍ତବ୍ୟରୁ ସ୍ପଷ୍ଟ ଅନୁମେୟ ଯେ ୧୯୧୭ ବେଳକୁ ସିଂହଭୂମିର କୋଣ ଅନୁକୋଣରେ ଥିବା ଓଡ଼ିଆ ବହୁଳ ଅଞ୍ଚଳ ବା ଗାଁ ମାନଙ୍କରେ ଓଡ଼ିଆ ବିଦ୍ୟାଳୟମାନ ପ୍ରତିଷ୍ଠା ହୋଇ ସାରିଥିଲା । ୧୯୧୮ରୁ ୧୯୨୦ ଏଇ ତିନିବର୍ଷର ସମୟର ପରିଧିରେ ଗୋପବନ୍ଧୁଙ୍କର ଅନେକ କାର୍ଯ୍ୟାବଳୀର ଦଲିଲ୍ ଦୃଷ୍ଟିକୁ ଆସେ । ଇୟୁରୋପରେ ବିଶ୍ୱଯୁଦ୍ଧ ଲାଗିଥିବା ବେଳେ ଗୋପବନ୍ଧୁ ସିଂହଭୂମିରେ "ପଇସିକିଆ ଫଣ୍ଡ' ଆରମ୍ଭ କରିଥିଲେ । ଏଇ ପଇଶକିଆ ଫଣ୍ଡର ଆରମ୍ଭ ହୋଇଥିଲା ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଓଡ଼ିଆ ସ୍କୁଲ ମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବାକୁ । ୧୭-୧୧-୧୯୨୭ ତାରିଖ "ସମାଜ'ରେ ଗୋପବନ୍ଧୁ ଲେଖିଥିଲେ ଅର୍ଥ ଅଭାବରୁ ସିଂହଭୂମ, ଫୁଲଝର ପ୍ରଭୃତି ସ୍ଥାନରେ ଗଢ଼ା ଯାଇଥିବା ଓଡ଼ିଆ ସ୍କୁଲ ଗୁଡ଼ିକ ଭାଙ୍ଗିଗଲାଣି । ମୁଁ ଏ ଖବର ଶୁଣି ମର୍ମାହତ ହୋଇପଡ଼ିଛି । ହିନ୍ଦୀ ଓ ବଙ୍ଗଭାଷୀଙ୍କ ଚକ୍ରାନ୍ତ ଯୋଗୁଁ ସେ ସମୟରେ ଓଡ଼ିଆ ଶିକ୍ଷା କିପରି ନ ପଢ଼ାଯିବ ତାର ବ୍ୟବସ୍ଥା କରୁଥିଲା ବେଳେ ସେତେବେଳର ଜିଲ୍ଲା ସ୍କୁଲର ଚେୟାରମ୍ୟାନ ମିଷ୍ଟର ଗ୍ୟାରେଟ୍ଙ୍କୁ ଚିଠି ଲେଖି ଏଠିକାର ଓଡ଼ିଆ ମାନଙ୍କୁ ଓଡ଼ିଆରେ ଶିକ୍ଷା ଦେବାକୁ ଦାବି କରିଥିଲେ ତାହାକୁ ଗ୍ରହଣ କରି ଗ୍ୟାରେଟ୍ ଓଡ଼ିଆରେ ଶିକ୍ଷା ଦେବାର ବ୍ୟବସ୍ଥା କରିଥିଲେ ।ଏ ବର୍ଷ "ଉକ୍ରଳ ଆସୋସିଏସନ୍' ଝାରଖଣ୍ଡ ରାଜ୍ୟର ଜାମସେଦପୁର ଠାରେ ଥିବା ସଭାଗାରରେ ଗୋପବନ୍ଧୁଙ୍କ ସ୍ମୃତିରେ କବିତା ଆବୃତ୍ତି ଓ ରଚନା ପ୍ରତିଯୋଗୀତାର ଆୟୋଜନ କରିଛି । ଏ ବର୍ଷ ବିଶିଷ୍ଟ ଲେଖକ ସତ୍ୟପ୍ରିୟ ମହାନ୍ତିଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଉକ୍ରଳ ଆସୋସିଏସନର ସଭାପତି ଶ୍ରୀକାନ୍ତ କୁମାର ପତି, ସାଧାରଣ ସମ୍ପାଦକ ତରୁଣ କୁମାର ମହାନ୍ତିଙ୍କ ଛଡ଼ା ଉପଦେଷ୍ଟା ଶୁଭେନ୍ଦ୍ର କୁମାର ବେହେରା, ଟ୍ରଷ୍ଟି ମନୋରଞ୍ଜନ ଦାଶ, ଅଧ୍ୟାପକ ଅଶୋକ କୁମାର ମହାନ୍ତି, ସଚ୍ଚିଦାନନ୍ଦ ଦାଶ, କାମିନୀକାନ୍ତ ବୋଷ, ନିରଞ୍ଜନ ନାୟକ, କିଶୋର ନାୟକ, ଅବନୀ ପ୍ରସାଦ ମିଶ୍ର, ଅଧ୍ୟାପକ ବିଧୁଭୂଷଣ ଭୂୟାଁ, ପବିତ୍ର ମୋହନ ଜେନା, ସୌମେନ୍ଦ୍ର ଭୂୟାଁ, ଜଯାତି ପଶାୟତ, ବଦ୍ରି ସ୍ୱାଇଁ, ରବୀନ୍ଦ୍ରନାଥ ସ୍ୱାଇଁ, ତାରାଚାନ୍ଦ ମହାନ୍ତି, ବାଦଲ ଭୂୟାଁ, ଜୟରାମ ଦାଶପାତ୍ର, ପ୍ରଭାତ ଦାସ, ପ୍ରଦୀପ ଦାସ, ମନୋରଞ୍ଜନ ଗୌଡ଼, ଅଧ୍ୟାପକ ମନୋଜ ମହାପାତ୍ର, ଅଧ୍ୟାପକ ସୁଧୀର ସାହୁ, ଅଧ୍ୟାପକ ବାଳକୃଷ୍ଣ ବେହେରା, ରବୀନ୍ଦ୍ର କୁମାର ମିଶ୍ର, ପ୍ରଦୀପ ଜେନା, ପ୍ରଶାନ୍ତ ମହାନ୍ତି, ସୁରେନ୍ଦ୍ର ବିଶ୍ୱାଳ, କିଶୋର ମହାନ୍ତି, ବିଭୂତି ନାୟକ, ଜୟପ୍ରକାଶ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ଗତ ବର୍ଷ ଲୋକସେବକ ମଣ୍ଡଳ ଅନୁଷ୍ଠାନ ପକ୍ଷରୁ ଏହାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ସମାଜର ପ୍ରକାଶକ ମୁଦ୍ରାକର ଡଃ. ନିରଞ୍ଜନ ରଥ ଓ ଯୁବକର୍ମୀ ଡକ୍ଟର ପ୍ରଭାସ ଆଚାର୍ଯ୍ୟଙ୍କ ପରିଚାଳନାରେ ଝାଡ଼ଖଣ୍ଡର ବିଭିନ୍ନ ଓଡ଼ିଆ ଭାଷାଭାଷୀ ବିଦ୍ୟାଳୟରେ ପାଠ୍ୟ ଉପକରଣ ବଣ୍ଟନ କରିବା ସହ ଏଯାବତ୍ ବିଭିନ୍ନ ପ୍ରକାର ସହଯୋଗ ପ୍ରଦାନ କରିଆସୁଛନ୍ତି । ଉକ୍ରଳମଣି ଗୋପବନ୍ଧୁଙ୍କ ପୁଣ୍ୟ ଶ୍ରାଦ୍ଧ ତିଥି ଅବସରରେ ଲୋକ ସେବକ ମଣ୍ଡଳ ଓ ସମାଜ ଅନୁଷ୍ଠାନର ଉତ୍ତରତୋର ଉନ୍ନତି କାମନା କରିବା ସହ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଭକ୍ତଭରା କୃତଜ୍ଞତା ଜଣାଉଛୁ